ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ‘ମେଁ ଭି ଚୌକିଦାର’ ଛପାହୋଇଥିବା କପ୍ ରେ ଏବେ ମିଳୁଛି ଚା’ । ତାହା ପୁଣି ଟ୍ରେନରେ । ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାର ଜବାବ ଦେବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ରେଳ ବିଭାଗକୁ ନୋଟିସ୍ ଜାରି କରାଯାଇଛି । ଏହା ସହିତ ଏହି କପ୍ ତିଆରି କରିଥିବା ଭେଣ୍ଡର ଉପରେ ମଧ୍ୟ ଚାପ ପଡିଛି ।
ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି କି, ତାଙ୍କର ବିନା ମଞ୍ଜୁରୀରେ କପ୍ ଗୁଡିକୁ ଛପା ଯାଇଥିଲା । ଏଭଳି କପ୍ ଗୁଡିକୁ ଏବେ ଫେରାଇ ଦିଆଯାଇଛି ଏବଂ ଭେଣ୍ଡର ଉପରେ ଏକ ଲକ୍ଷ ଟଙ୍କାର ଜୋରିମନା ଲଗାଯାଇଛି ।
ଏହି ବିବାଦ ପ୍ରଥମେ କାଠଗୋଦାମ ଶତାଦ୍ଧି ପାସେଞ୍ଜରଙ୍କୁ ‘ମେଁ ଭି ଚୌକିଦାର’ନାରା ଥିବା କପରେ ଚା’ ଦିଆଯିବା ଠାରୁ ଆରମ୍ଭ ହୋଇଥିଲା । ଏହି କପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଏହାପରେ ରେଳ ବିଭାଗ ପକ୍ଷରୁ ଏଭଳି ଚିତ୍ର ଥିବା କପ୍ ହଟାଯିବା ସହିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକସଭା ନିର୍ବାଚନ ଅନୁଯାୟୀ ଏହା ଆଚାର ସଂହିତାକୁ ଉଲଂଘନ କରୁଛି ।
ଏନେଇ ରେଳ ବିଭାଗର କ୍ୟାଟ୍ରିଂ ଏବଂ ଟୁରିଜିମ୍ କର୍ପୋରେସନର ଜଣେ ଅଧିକାରୀ କହିଛନ୍ତି କି, ଚା’ ପରସିବା ପାଇଁ ବ୍ୟବହାର କରାଯାଉଥିବା କପ୍ ରେ ‘ମେଁ ଭି ଚୌକିଦାର’ ଛପା ହେବା ଖବରକୁ ନେି ତଦନ୍ତ କରାଯାଇଛି । ଏହା ରେଳ ବିଭାଗର ବିନା ଅନୁମତିରେ କରାଯାଇଥିଲା । ଏହାସହିତ କପ୍ ଗୁଡିକୁ ତୁରନ୍ତ ଫେରାଇ ଦିଆଯାଇଛି ।
ଏହି ମାମଲାରେ ନିର୍ବାଚନ ଆୟୋଗ ପକ୍ଷରୁ ରେଳ ମନ୍ତ୍ରାଳୟକୁ ଦ୍ୱିତୀୟ ଥର ନୋଟିସ ଜାରି କରାଯାଇଛି । ଏନେଇ ତୁରନ୍ତ ଜବାବ ଦେବା ପାଇଁ ଆୟେଗ ପକ୍ଷରୁ କୁହାଯାଇଛି ।