କେରଳ (ଏଟିଆର ବ୍ୟୁରୋ ) ; ସ୍ୱାମୀ ସନ୍ଦୀପାନନ୍ଦ ଗିରିଙ୍କ ଆଶ୍ରମରେ ନିଆଁ ଲଗାଇଲେ ଦୁର୍ବୃତ୍ତ । କେରଳର କୁନ୍ଦାମାନକାଡାଭୁଠାରେ ଥିବା ବିବାଦୀୟ ଧର୍ମଗୁରୁ ସ୍ୱାମୀ ସନ୍ଦୀପାନନ୍ଦ ଗିରିଙ୍କ ସାଲଗ୍ରାମମ ଆଶ୍ରମରେ ଆଜି ଭୋର ସମୟରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ସାବରୀମାଳା ମନ୍ଦିରରେ ପୂଜା ପାଉଥିବା ସ୍ୱାମୀ ଆୟାପ୍ପାଙ୍କୁ ସବୁ ବୟସର ମହିଳାମାନେ ଦର୍ଶନ କରିପାରିବେ ବୋଲି ସ୍ୱାମୀ କହିଥିବାରୁ ତାଙ୍କ ଆଶ୍ରମ ଉପରେ ରାତି ପ୍ରାୟ ୨.୩୦ ସମୟରେ ଆକ୍ରମଣ ହୋଇଛି ।
ଆଶ୍ରମରେ ନିଆଁ ଲାଗିଯିବାରୁ ପରିସର ମଧ୍ୟରେ ଥିବା ୨ଟି ହୋଣ୍ଡା ସିଟି କାର ଓ ଅନେକ ବାଇକ ସମ୍ପୁର୍ଣ୍ଣ ଜଳିଯାଇଛି । ଖାଲି ସେତିକି ନୁହେଁ ଆଶ୍ରମ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି । ସେପଟେ ଖବର ପାଇଁ ଅଗ୍ନିଶମ ବିଭାଗ ଆଶ୍ରମ ପରିସରରେ ପହଞ୍ଚି ନିଆଁକୁ ଆୟତ୍ତ କରିପାରିଥିଲା । କିନ୍ତୁ ସେତେବେଳକୁ ଅନେକ ଗାଡି ସମେତ ଆଶ୍ରମର ଅନ୍ୟାନ୍ୟ ଅସବାବପତ୍ର ମଧ୍ୟ ଜଳିଯାଇଥିଲା ।
ଅନ୍ୟପଟେ କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଅଶ୍ରମ ସ୍ଥଳେ ପହଞ୍ଚିଛନ୍ତି । ଏଭଳି ଘଟଣାକୁ ସେ ଘୋର ନିନ୍ଦା ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ , ସୁପ୍ରୀମକୋର୍ଟର ରାୟ କ୍ରମେ ସାବରୀମାଳା ମନ୍ଦିରକୁ ମହିଳାମାନେ ପ୍ରବେଶ ଉଦ୍ୟମ କରିଥିଲେ । ହେଲେ ମନ୍ଦିରର ସେବାୟତଙ୍କ ଠାରୁ ଆରମ୍ଭ କରି ବହୁ ଭକ୍ତ ଏହାକୁ ବିରୋଧ କରିଥିଲେ । ଏପରିକି ସମ୍ପୃକ୍ତ ସ୍ଥଳରେ ମଧ୍ୟ ଏକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ମନ୍ଦିରର ନୀତି ନିୟମ ଅନୁସାରେ ସାମରୀମାଳା ମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି ।
ଏହି ସମୟରେ ସ୍ୱାମୀ ସନ୍ଦୀପାନନ୍ଦ ଗିରି ସାବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳା ପ୍ରବେଶ କରି ଆୟାପ୍ପାଙ୍କୁ ଦର୍ଶନ କରିପାରିବେ ବୋଲି ମତ ରଖିଥିଲେ । ତେବେ ସନ୍ଦୀପାନନ୍ଦଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ଦୁର୍ବୃତମାନେ ତାଙ୍କ ଆଶ୍ରମରେ ନିଆଁ ଲଗାଇଦେଇଥିବା ଜଣାପଡିଛି । ସେପଟେ ମନ୍ଦିରରେ ମହିଳା ମାନଙ୍କ ପ୍ରବେଶକୁ ବିରୋଧ କରୁଥିବା ୨୮୨୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହ ସେମାନଙ୍କ ବିରୋଧରେ ୪୯୫ଟି ମାମଲା କେରଳ ପୋଲିସ ରୁଜୁ କରିଛି ।