ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ତାର ମାର୍ଜିନାଲ କାଷ୍ଟ ଅଫ୍ ଫଣ୍ଡ ଆଧାରିତ ଲେଣ୍ଡିଂ ରେଟ୍ (ଏମସିଏଲଆର) ରେ ୦.୧ ପ୍ରତିଶତ ହ୍ରାସ କରିଛି । ଏହାଦ୍ୱାରା ଲକ୍ଷାଧିକ ଗୃହ ଋଣ ଗ୍ରାହକଙ୍କ ଇଏମଆଇ ହ୍ରାସ ହୋଇଯିବ । ଏହି ହ୍ରାସ ନିୟମ ଡିସେମ୍ବର ୧୦ ତାରିଖରୁ ଲାଗୁ କରାଯିବ ।
ଚଳିତ ଆର୍ଥିକ ବର୍ଷରେ ଏସବିଆଇ ପକ୍ଷରୁ ତାର ଏମସିଏଲଆର ରେ ଲଗାତର ଆଠ ଥର ହ୍ରାସ କରାଗଲାଣି । ଏବେ ଏହାର ଏକ ବର୍ଷର ଏମସିଏଲଆର ରେଟ୍ ୮ ରୁ ହ୍ରାସ ହୋଇ ୭.୯ ପ୍ରତିଶତ ହୋଇଯିବ । ଦେଶର ସବୁଠାରୁ ଅଧିକ ଶସ୍ତା ଋଣ ଦେଉଥିବା ବ୍ୟାଙ୍କ ଏସବିଆଇ ବୋଲି ବ୍ୟାଙ୍କ ପକ୍ଷରୁ ଦାବି କରାଯାଇଛି ।
ହୁଏତ ରେପୋ ରେଟ୍ ସହ ଜଡିତ ଋଣରେ ବ୍ୟାଙ୍କ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଗୋଟେ ଦିନରୁ ନେଇ ଗୋଟେ ମାସ ପର୍ଯ୍ୟନ୍ତ ଋଣ ପାଇଁ ଏମସିଏଲଆର ରେଟ୍ ୭.୬୫ ପ୍ରତିଶତ, ତିନି ମାସ ପାଇଁ ଏମସିଏଲଆର ରେଟ୍ ୭.୭୦ ପ୍ରତିଶତ, ଛଅ ମାସ ପାଇଁ ୭.୮୫ ପ୍ରତିଶତ, ଦୁଇ ବର୍ଷ ପାଇଁ ୮.୧୦ ପ୍ରତିଶତ ଏବଂ ତିନି ବର୍ଷ ପାଇଁ ୮.୨୦ ପ୍ରତିଶତ ହୋଇଯାଇଛି ।