ୟୁପି (ଏଟିଆର ବ୍ୟୁରୋ ) ; ଯୋଗୀଙ୍କ ସ୍ୱପ୍ନରେ ବିଶାଳକାୟ ରାମଙ୍କ ପ୍ରତିମୁର୍ତ୍ତି । ଅଯୋଧ୍ୟାରେ ତିଆରି ହେବ ପ୍ରଭୁ ଶ୍ରୀ ରାମଙ୍କ ୨୨୧ ମିଟର ଉଚ୍ଚତା ବିଶିଷ୍ଠ ପ୍ରତିମା । ଅଯୋଧ୍ୟାର ସରଜୁ ନଦୀ କୂଳରେ ଦେଖିବାକୁ ମିଳିବ ରାମଙ୍କ ବିଶାଳକାୟ ପ୍ରତିମା । ଏ ନେଇ ଗତକାଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷୌଠାରେ ଏକ ବୈଠକ ଆୟୋଜନ କରି ଏ ବିଷୟରେ ଆଲୋଚନା କରିଛନ୍ତି । ରାମଙ୍କ ପ୍ରତିମା କିଭଳି ହେବ ଓ ଏହାର ଆଖପାଖରେ ଡିଜାଇନ କିଭଳି ରହିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି ।
ସୂଚନାଯୋଗ୍ୟ , ଅଯୋଧ୍ୟାରେ ୨୨୧ ମିଟର ଉଚ୍ଚ ଭଗବାନ ଶ୍ରୀ ରାମଙ୍କ ପ୍ରତିମା ନିର୍ମାଣ ହେବ । ଏହାସହ ୨୨୧ ମିଟର ଉଚ୍ଚର ଚକ୍ର ବି ତିଆରି କରାଯିବ । ଏହି ବିଶାଳକାୟ ରାମଙ୍କ ପ୍ରତିମା ବେସର ଠିକ ତଳେ ଆଧୁନିକ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଏହି ମ୍ୟୁଜିୟମରେ ଭଗବାନ ଶ୍ରୀ ରାମଙ୍କ ବିଷୟରେ ଅନେକ ଜିନିଷ ଓ ସୂଚନା ରହିବ ।
ଖାଲି ସେତିକି ନୁହେଁ ଏହି ପ୍ରତିମା ତିଆରି କରିବା ନିମନ୍ତେ ୧୦୦ ଏକର ଜମି ବ୍ୟବହାର କରାଯିବ । ଏହି ପ୍ରତିମା ସରଜୁ ନଦୀ କୂଳରେ ହେବାକୁ ଥିବା ବେଳେ ନଦୀ କୂଳର ୧୦୦ ଏକର ଜମିରେ ରାମ ମୂର୍ତ୍ତି ସହିତ ରିଭରଫ୍ରଣ୍ଟ ନିର୍ମାଣ ହେବ । ଏହି ୧୦୦ ଏକର ଜମିରେ ରାମଙ୍କ କୁଡିଆ ସହିତ ବୈଦିକ ପୁସ୍ତକାଳୟ ଓ ରାମଙ୍କ ଜୀବନ ସହିତ ଜଡିତ ଅନେକ କଥା ଉଲ୍ଲେଖ ରହିବ । ଯାହା ସାଧାରଣ ଲୋକମାନଙ୍କ ପାଇଁ ପରିଭ୍ରମଣ ପାଇଁ ଉନ୍ମୋକ୍ତ ରହିବ । ଏହି ପ୍ରକଳ୍ପକୁ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦାରଖ କରିବେ ।
ସେପଟେ ରାମଙ୍କ ପ୍ରତିମାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଏନେଇ ପୂରା ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି । ରାମଙ୍କ ପ୍ରତିମୁର୍ତ୍ତି ତଳେ ୫୦ ମିଟରର ବେସ ରହିବ ବୋଲି ଜଣାପଡିଛି । ଏହାସହ ରାମଙ୍କ ହାତରେ ଧନୁ , ତୀର ଓ ବର୍ଚ୍ଛା ରହିବ ବୋଲି ପ୍ଲାନ ପ୍ରସ୍ତୁତ ହୋଇଛି । ତେବେ ରାମଙ୍କ ବିଶାଳକାୟ ପ୍ରତିମାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏଭଳି ପ୍ରକଳ୍ପକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛି ।