ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଫଗାନିସ୍ତାନର ରାଜଧାନୀ କାବୁଲରେ ଫିସିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ବିମାନ ୭୮ ଲୋକଙ୍କୁ ନେଇ ଦିଲ୍ଲୀରେ ପହଁଚିଛି । ଏଥିରେ ୨୫ ଜଣ ଭାରତୀୟ ନାଗରିକ ସାମିଲ ଅଛନ୍ତି । ଏହାବ୍ୟତିତ ଏଥିରେ ଆଫଗାନ ସିଖ ଏବଂ ହିନ୍ଦୁ ପରିବାର ମଧ୍ୟ ଆସିଛନ୍ତି । ସେହିପରି ସିଖ୍ ସମୁଦାୟର କିଛି ଲୋକ କାବୁଲ ଗୁରୁଦ୍ୱାରରୁ ନିଜ ସାଥୀରେ ପବିତ୍ର ଗୁରୁ ଗ୍ରନ୍ଥ ସାହେବର ତିନିଟୋ ପ୍ରତିଲିପି ଆଣିଛନ୍ତି । ଯାହାକୁ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂହ ପୁରୀ, ବୈଦେଶିକ ରାଜ୍ୟ ମନ୍ତ୍ରୀ ଭି ମୁରଲିଧରନ ଏବଂ ବିଜେପି ନେତା ଆରପି ସିଂହ ରିସିଭ କରିବା ସହ ତାକୁ ମୁଣ୍ଡେଇ ମୁଣ୍ଡେଇ ଦିଲ୍ଲୀ ବିମାନ ବନ୍ଦରରୁ ବାହାରକୁ ବାହାରିଛନ୍ତି ।
ସେହିପରି ଏହା ପୂର୍ବରୁ ସିଖ୍ ସମୁଦାୟ ଲୋକଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ବିମାନ ଭିତରେ ଜୋ ବୋଲେ ସୋ ନାହାଲ ନାରା ଦେଉଥିଲେ ଲୋକେ । ଏହି ଭିଡିଓକୁ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ସେୟାର କରିଥିଲେ ।