ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ କମ୍ୟୁନିକେସନର ଚେୟାରମ୍ୟାନ ଅନୀଲ ଅମ୍ବାନୀ ସହ ଜଡିତ ମାମଲାକୁ ନେଇ ସୁପ୍ରିମ କୋର୍ଟ ୱେବସାଇଟରେ ଭୁଲ ସୂଚନା ଦେବା ଅଭିଯୋଗରେ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଛି । ବିଚାରପତିଙ୍କ ଆଦେଶ ଲେଖିବା ସହ ସର୍ବୋଚ୍ଚ ଅଦାଲତର ୱେବସାଇଟରେ ଅପଲୋଡ କରିବାର ଦାୟିତ୍ୱ ଦୁହିଁଙ୍କୁ ଦିଆଯାଇଥିଲା ।
ପୋଲିସ ରିପୋର୍ଟ ଅନୁଯାୟୀ କର୍ମଚାରୀ ଦୁହେଁ ୱେବସାଇଟରେ ଏକ ଆଦେଶକୁ ଅପଲୋଡ କରିଥିଲେ । ଏଥିରେ ଅନୀଲ ଅମ୍ବାନୀଙ୍କୁ ମାମଲାରେ ଉପସ୍ଥିତ ନ ରହିବାକୁ କୁହାଯାଇଥିଲା, କିନ୍ତୁ ଅଦାଲତରେ ଆଦେଶ ଅନୁଯାୟୀ ଆଗାମୀ ଶୁଣାଣି ଯାଏଁ ସେ ଉପସ୍ଥିତ ରହିବେ ।
ଏହି ମାମଲାରେ ଅଭିଯୁକ୍ତ ମାନବ ଶର୍ମା ଏବଂ ତପନ କୁମାର ଚକ୍ରବର୍ତ୍ତିଙ୍କୁ ରବିବାର ପୋଲିସ କରିଥିଲା । ଦୁହିଁଙ୍କୁ ସୋମବାର ଦିନ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ତାଙ୍କୁ ସାତ ଦିନ ପର୍ଯ୍ୟନ୍ତ ପୋଲିସ ଅଧିନକୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ଅଦାଲତକୁ ଅବମାନନା କରିବା ମାମଲାରେ ଦୁଇ କର୍ମଚାରୀଙ୍କୁ ବହିସ୍କାର କରିଦିଆଯାଇଥିଲା । ଦୁହିଁଙ୍କୁ ବହିସ୍କାର କରିବାର ଆଦେଶ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ଦେଇଥିଲେ ।