ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଯାହା ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ଏହାସହିତ ଡବ୍ଲ୍ୟୁଏଚଓ କହିଛି କି ଭାରତରେ ଏବେ ଏହି ରୋଗର ଗୁଣାତ୍ମକ ବୃଦ୍ଧି ହେଉ ନାହିଁ । କିନ୍ତୁ ଏହା ହେବାର ଆଶଙ୍କା ରହିଛି । ସେଥିପାଇଁ ସର୍ତକତାର ଆବଶ୍ୟକତା ରହିଛି । କେବଳ ଭାରତ ନୁହେଁ ବାଂଲାଦେଶ, ପାକିସ୍ତାନ ତଥା ଦକ୍ଷୀଣ ଏସିଆର ଅଧିକ ଜନବହୁଳ ଦେଶରେ ଏବେ ମହାମାରୀର ସ୍ଥିତି ବିସ୍ଫୋଟକ ହୋଇନାହିଁ । କିନ୍ତୁ ଏଭଳି ହେବାର ଆଶଙ୍କା ରହିଛି ।
ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଏଚଓ ର ସ୍ୱାସ୍ଥ୍ୟ ବିପର୍ଯ୍ୟୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହ ନିର୍ଦ୍ଦେଶକ ଡଃ. ମାଇକେଲ ଜେ ରେୟାନ କହିଛନ୍ତି କି, କରୋନା ମାମଲା ଭାରତରେ ତିନି ସପ୍ତାହରେ ଦୁଇଗୁଣା ହେଉଛି । ସେହିଅନୁଯାୟୀ ଏଥିରେ ଗୁଣାତ୍ମକ ବୃଦ୍ଧି ହେଉ ନାହିଁ, କିନ୍ତୁ ମାମଲା ଲଗାତର ଭାବେ ବୃଦ୍ଧି ପାଉଛି । ଯଦି ସମୁଦାୟିକ ସ୍ତରରେ କରୋନା ସଂକ୍ରମଣ ଆରମ୍ଭ ହୋଇଯିବ ତେବେ ଏହା ଦ୍ରୁତ ବେଗରେ ବ୍ୟାପିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, କରୋନା ନିୟନ୍ତ୍ରଣ ଲାଗି ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରଭାବଶାଳୀ ଅଟେ । ମାତ୍ର ଏବେ କରୋନା କଟକଣା କୋହଳ କରି ଦିଆଯାଇଛି । ଲୋକଙ୍କ ଗତିବିଧି ପୁର୍ନବାର ଆରମ୍ଭ ହୋଇଯାଇଛି । କିନ୍ତୁ ବିପଦ ଏବେ ବି ରହିଛି ।
ଡବ୍ଲ୍ୟୁଏଚଓ ର ମୁଖ୍ୟ ବୈଜ୍ଞାନିକ ଡାଃ ସୌମ୍ୟା ସ୍ୱାମିନାଥନ କହିଛନ୍ତି କି, ଏପର୍ଯ୍ୟନ୍ତ ଭାରତରେ ୨ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଖିବାକୁ ଗଲେ ଏହି ସଂଖ୍ୟା ବହୁତ ବଡ ଲାଗୁଛି କିନ୍ତୁ ୧୩୦ କୋଟି ଦେଶବାସୀଙ୍କ ହିସାବରେ ଏହି ସଂଖ୍ୟ ବହୁତ କମ୍ । ସଂକ୍ରମଣ ବ୍ୟାପିବା ଏବଂ ମାମଲା ଦୁଇଗୁଣା ହେବାର ଗତି ଉପରେ ନଜର ରଖିବା ମହତ୍ୱପୂର୍ଣ୍ଣ ।