ଭୁବନେଶ୍ୱର,୩ା୨/ବ୍ୟୁରୋ: ଜମିବାଡିକୁ ନେଇ ରାତି ଅଧରେ ହଣାକଟା । ୫ରୁ ଅଧିକ ଆହତ । ଏମିତି ଏକ ଘଟଣା ଘଟିଛି ନୟାପଲ୍ଲୀ ଅଞ୍ଚଳରେ । ରିପୋର୍ଟ କହୁଛି ନେହେରୁ ବସ୍ତିରେ ଗତ କିଛିଦିନ ହେବ ଜମିବାଡିକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଯାହା ଶନିବାର ସନ୍ଧ୍ୟାରେ ରାକ୍ତାକ୍ତ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ଅନନ୍ତ ନାୟକ ଓ ଗନ୍ଧର୍ବ ଲେଙ୍କାଙ୍କ ପରିବାର ଭିତରେ ଜମିବାଡିକୁ ନେଇ ଲାଗି ରହିଥିଲା ତୁତୁମେଁମେଁ । ଆଜି କି’ କାଲି ନୁହେଁ ଢ଼େରଦିନ ହେଲା ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ ନଥିଲା । ତେବେ ଶନିବାର ଛୁଆ ଛୁଆ ଭିତରେ ଝଗଡ଼ା ହୋଇ ଶେଷରେ ପରିବାରର ବଡ଼ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଚାହୁଁଚାହୁଁ ଉଭୟ ଗୋଷ୍ଠୀ ବାଉଁସ, ଠେଙ୍ଗା ଏପରିକି ଖଣ୍ଡା ଧରି ରାସ୍ତାକୁ ଓହ୍ଲାଇଥିଲେ । ଆଉ ଏହାପରେ ରକ୍ତ ବୋହିଥିଲା । ରିପୋର୍ଟ ଅନୁସାରେ, ଗନ୍ଧର୍ବଙ୍କ ପରିବାର ପକ୍ଷରୁ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣରେ ଦୁଇ ପରିବାରର ଅନ୍ୟ ଲୋକମାନେ ମଧ୍ୟ ଲହୁଲୁହାଣ ହୋଇଛନ୍ତି । ତେବେ ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି । ଘଟଣାରେ ୩ଜଣଙ୍କୁ ଅଟକ ରଖାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।