ମୟୁରଭଞ୍ଜ,(ଏଟିଆର ବ୍ୟୁରୋ): ଦିନକୁ ଦିନ ପିଲା ଚୋର ଗୁଜବ ସାଙ୍ଘାତିକ ରୂପ ନେଉଛି । ପୁଲିସର ସତଚେଷ୍ଟା ପରେ ବି ଲୋକେ ଚେତୁନାହାନ୍ତି । ଅଜଣା ଲୋକଙ୍କ ଉପରେ ହେଉଛି ଆକ୍ରମଣ । ତେବେ ଏଥର କିନ୍ତୁ ଗୁଜବ କଥାକୁ ନେଇ ଲୋକେ ସବୁ ସୀମା ଟପିଯାଇଛନ୍ତି । ପିଟିପଟି ଜଣଙ୍କୁ ହତ୍ୟା କରିଥିବା ଭଳି ସଙ୍ଗିନ ଘଟଣା ମୟୁରଭଞ୍ଜ ଅଞ୍ଚଳରେ ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ମତା ଜଙ୍ଗଲରେ କେତେକ ଅଜଣା ବ୍ୟକ୍ତି ବୁଲୁଥିବା ଖବର ଲୋକେ ପାଇଥିଲେ । ତେଣୁ ସେମାନେ ପିଲାଚୋର ହୋଇପାରନ୍ତି ବୋଲି ଲୋକଙ୍କ ସନ୍ଦେହ ହୋଇଥିଲା । ସଙ୍ଗେସଙ୍ଗେ ଲୋକମାନେ ସେମାନଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ । ତେବେ ସୌଭାଗ୍ୟ ବସତଃ ଘଟଣାସ୍ଥଳରୁ ଜଣେ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ । ଲୋକେ ତାଙ୍କୁ ଗୁଡାଇତୁଡାଇ ଅନେକ ପ୍ରଶ୍ନ କରିଥିଲେ । ଯାହାର ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ବାସ ଏହାପରେ କିଛି ବୁଝିବା ସୁଝିବା ପୂର୍ବରୁ ସମସ୍ତେ ସେହି ଯୁବକଙ୍କୁ ମାଡ଼ ମାରିଥିଲେ ।
ମାଡ଼ରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ୍ୟୁ ପରେ ମୃତଦେହକୁ ଲୋକେ ପାଖ ପଡିଆରେ ଫିଙ୍ଗି ଦେଇ ପଳାଇ ଆସିଥିଲେ । ସେପଟେ ପିଲା ଚୋର ଗୁଜବକୁ ନେଇ ରାଜ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି ଶୁଣିବାକୁ ମିଳୁଛି । ଏହାପୂର୍ବରୁ ପିଲାଚୋର ଗୁଜବକୁ ନେଇ ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଛି । କେଉଁଠି କିନ୍ତୁ ଏମିତି ଅଘଟଣ ଘଟିନାହିଁ ।