ଭୁବନେଶ୍ୱର,୫ା୨(ବ୍ୟୁରୋ): ସେଲିବ୍ରେଟିଙ୍କୁ ଟାର୍ଗେଟ କରି ଅର୍ଥ ଉପାଜନ କରିବା ମୂଳ ଲକ୍ଷ୍ୟ । କିଛିଦିନ ତଳେ ଅଭିନେତା ବାବୁ ସାନକ ଫେକ୍ ଆକାଉଣ୍ଟ କରି ଟଙ୍କା ଆଦାୟ କରିବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସେହି ଫେସବୂକ ଫାଶରେ ଛନ୍ଦି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ । ତାଙ୍କ ନାଁ ଅନୁଭା ।
ମୁଁ ଅସୁବିଧାରେ ଅଛି… । ମତେ ସାହାଯ୍ୟ କରନ୍ତୁ । ଫେସ୍ବୁକ୍ ପୋଷ୍ଟରେ ଖୋଲାଖୋଲି ଭାବେ ନିଜ ଫ୍ୟାନକୁଂ ଅର୍ଥ ସାହାଯ୍ୟ ମାଗି ଏଭଳି ଲେଖାଯାଇଥିବା ମାତ୍ର କେଇପଦ କଥାକୁ ନେଇ ଏବେ ସବୁଠି ହୁଲୁସ୍ତୁଲ । ଟଙ୍କା ସାହାଯ୍ୟ ଲାଗି ଅଭିନେତ୍ରୀ ଅନୁଭା ପୁଣି ଏମିତି ପୋଷ୍ଟ କରିଛନ୍ତି ଭାବି ଚାଲିଛି ଜୋରଦାର୍ ଚର୍ଚ୍ଚା । ସେପଟେ କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ ଏପଟେ ଚିହିଁକି ଉଠିଛନ୍ତି ଅଭିନେତ୍ରୀ ଅନୁଭା । ସିଧା ସଳଖ ଏହା ତାଙ୍କ କାମ ନୁହଁ ବରଂ କେହି ଦୁର୍ବୃତ୍ତ ତାଙ୍କର ଫେକ୍ ଆକାଉଣ୍ଟ କରି ଏପରି କରିଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ସମ୍ମାନକୁ ହାନୀ କରିଥିବା ଦୋଷୀ ବିରୋଧରେ ସେ ସାଇବର କ୍ରାଇମ୍ରେ ଅଭିଯୋଗ କରିବାକୁ ଅଣ୍ଟା ଭିଡ଼ିଥିବା ମଧ୍ୟ ପ୍ରକାଶ କରିଛନ୍ତି । ସେପଟେ ଏହି ଫେକ୍ ଆକାଉଣ୍ଟ ଲାଗି ଏବେ ଅଭିନେତ୍ରୀଙ୍କ ସମ୍ମାନର ଧଜିଆ ଉଡିଛି ।
ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଅନୁଭାଙ୍କ ଜଣେ ବନ୍ଧୁ ପୋଷ୍ଟ ଦେଖି ସାହାଯ୍ୟ କରିବା ଲାଗି ତାଙ୍କୁ ମେଲ୍ ଯୋଗେ ବ୍ୟାଙ୍କ୍ର ଆକାଉଣ୍ଟ ନମ୍ବର ମାଗିଥିଲେ । ବାସ୍ ଏହାପରେ ଅଭିନେତ୍ରୀଙ୍କ ହୋସ୍ ଉଡିଯାଇଥିଲା । ଫେସବୁକ୍ ଖୋଲି ଦେଖିବା ବେଳକୁ କେଇ ଘଣ୍ଟା ତଳେ କରାଯାଇଥିବା ପୋଷ୍ଟରେ ଅନେକ ଦରଦୀ ବନ୍ଧୁ ସହଯୋଗ କରିବା ଲାଗି ଅଣ୍ଟା ଭିଡ଼ି କେବଳ ତାଙ୍କ ଉତ୍ତରକୁ ଅପକ୍ଷୋ କରି ରହିଥିଲେ । ପୂର୍ବରୁ ମଧ୍ୟ ଏପରି ଏକ ଫେକ୍ ଆକାଉଣ୍ଟ ତାଙ୍କ ନାଁରେ କରାଯିବା ସହ ସେ ଏନେଇ ଅଭିଯୋଗ ଆଣିବା ପରେ ବ୍ଲକ କରାଯାଇଥିବା ଖୋଦ୍ ଅନୁଭା କହିଛନ୍ତି । ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିବା ଅନୁଭାଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି । ବାରମ୍ବାର ଅଭିନେତା ଓ ଅଭିନେତ୍ରୀଙ୍କୁ ଏପରି ବଦନାମ୍ କରିବା ପ୍ର୍ରୟାସକୁ ସବୁ ସ୍ତରରେ ନିନ୍ଦା କରାଯାଇଛି ।