ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଲୋକଙ୍କ ଭୁଲ ରହିଲା କେଉଁଠି । ଏନେଇ ପୂର୍ବରୁ ଏଟିଆରରେ ଏକ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଘନଘନ କମେଣ୍ଟ ଆସିବା ପରେ ଆମେ ଖୋଜିବାକୁ ଚେଷ୍ଟା କରିଥିଲୁ ଆଲୋକଙ୍କର ସେହି ଭୁଲ କ’ଣ? ତେବେ ଅନୁସନ୍ଧାନରୁ ଯେଉଁ ତଥ୍ୟ ଏବେ ହସ୍ତଗତ ହୋଇଛି ତାହା ସିଧାସଳଖ ପ୍ରମାଣ କରୁଛି ଆଲୋକଙ୍କ ପ୍ରତି ଷଡଯନ୍ତ୍ର ରଚାଯାଇଛି । ସିଧା କହିବାକୁ ଗଲେ ଜଣେ ଦକ୍ଷ ଅଫିସରଙ୍କ ବିଶ୍ୱାସରେ ବିଷ ମିଶା ଯାଇଛି । ଆଉ ଏହି ବିଷ ଅନ୍ୟ କେହି ନୁହେଁ ବରଂ ପୁଲିସ ବିଭାଗର କେତେକ ଅଫିସର ହିଁ ଦେଇଥିବା ଚର୍ଚ୍ଚା ହେଉଛି । ରେକର୍ଡ କହୁଛି ୨୦୧୨ରେ ସ୍ପେଶାଲସ୍କ୍ୱାଡ ଅଫିସର ଥିଲେ ବିଦ୍ୟୁତ ପଣ୍ଡା । ସେହି ସମୟରେ ସମ୍ବଲପୁରରୁ ଗିରଫ ହୋଇଥିଲେ ବିଶ୍ୱ ସଂସ୍ଥାର ଡ୍ରାଇଭର ବିଶ୍ୱନାଥ ବେହେରା ।
ଏବେ ପ୍ରଶ୍ନ ସମ୍ବଲପୁରରୁ ବିଶ୍ୱନାଥକୁ ଆଣିବା ବେଳେ ସେଠାରେ ଆଲୋକ ଜେନାଙ୍କ ସମ୍ପୃକ୍ତି ରହିଲା କିପରି? କାରଣ ଠିକ ସେହି ସମୟରେ ସହିଦନଗର ଥାନା ଅଧିକାରୀ ଥିଲେ ଆଲୋକ ଜେନା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ସ୍ପୋଶାଲ ସ୍କ୍ୱାଡ ସାଙ୍ଗରେ ହିଁ ଯାଇଥିଲେ ଆଲୋକ ଜେନା । ତେବେ ସ୍ପେଶାଲସ୍କ୍ୱାଡ ଅଧିକାରୀ ନିଜ ନାମ ଲେଖାଇବା ବଦଳରେ ଆଲୋକଙ୍କ ନାଁ ଉଲ୍ଲେଖ କରିଥିଲେ । ଏଠି ପ୍ରଶ୍ନ କାହିଁକି ବିଦ୍ୟୁତ ପଣ୍ଡା ଅଭିଯୁକ୍ତକୁ ଆଣିବା ବଦଳରେ ନିଜ ନାମ ସେଠାରେ ଉଲ୍ଲେଖ ରଖିନଥିଲେ । ଏ କେବଳ ଗୋଟିଏ ଘଟଣା ନୁହେଁ ଆଉ ଏକ ସାଙ୍ଘାତିକ ତଥ୍ୟ ମଧ୍ୟ ପଦାକୁ ଆସିଛି । ଯେତେବେଳେ ସ୍ପେଶାଲସ୍କ୍ୱାଡ ଅଫିସର ସାଙ୍ଗରେ ସହିଦନଗର ଥାନା ଅଧିକାରୀ ଆଲୋକ ଜେନା ଗଲେ ତେବେ କାହିଁକି ଦୂରେଇ ରହିଲେ ସେତେବେଳର ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରୀୟରଞ୍ଜନ ଶତପଥୀ? ତାଙ୍କ ଉପରେ କ’ଣ ବରିଷ୍ଠ ଅଧିକାରୀଙ୍କ ଭରସା ନଥିଲା କି? ସେପଟେ ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରୀୟ ରଂଜନ ଶତପଥୀଙ୍କ ଭୁମିକାକୁ ନେଇ ମଧ୍ୟ ଅନେକ ସନ୍ଦେହ ଜାତ ହୋଇଛି ।
କାରଣ ରେକର୍ଡ କହୁଛି ଅଭିଯୁକ୍ତ ବିରୋଧରେ ପୁଲିସ ଦଫା ୩୦୭ ବଦଳରେ ୩୪୧/୩୨୩ରେ ମାମଲା ରୁଜୁ କରି ଚୁପ ବସିଥିଲା । ତେବେ ଆଲୋକ ଜେନା ସେଥିରେ ହସ୍ତକ୍ଷେପ କରି ଦଫା ୩୦୭ରୁଜୁ କରିବା ଓ ଅଭିଯୁକ୍ତକୁ ରିମାଣ୍ଡରେ ନେବା ଲାଗି ବାଟ ଫିଟାଇବା ଅନେକ ପୁଲିସ ଅଧିକାରୀଙ୍କୁ ହଜମ ହୋଇନଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ବିଶ୍ୱ ସଂସ୍ଥାର ମାଲିକ ଥିଲେ ଜଣେ ମନ୍ତ୍ରୀଙ୍କ ଭାଇ । ଖାସ ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ବେଶ ସାଲିସ ଥିଲା । କିନ୍ତୁ ଦକ୍ଷ ଅଫିସର ଆଲୋକ ଜେନା ଏଥିରେ ପ୍ରଭାବିତ ନହୋଇ ବରଂ ଅଭିଯୁକ୍ତକୁ ଉଚିତ ଦଣ୍ଡ ଦେଇଥିଲେ । ଯେଉଁଥିପାଇଁ ସେ ଟାର୍ଗେଟକୁ ଆସିଥିଲେ । ସବୁଠୁ ବଡ଼ କଥା ହେଉଛି ଏହି ମାମଲାରେ ଆଜି ଆଲୋକ ଜେନା ଫସି ନାକେଦମ ହେଉଥିବା ବେଳେ ବାକି ଅଫିସରଙ୍କ ନାଁ କାହିଁକି ଉଠୁନି । ଯେତେବେଳେ କି ମାମଲାର ତଦନ୍ତ ମଞ୍ଚେଶ୍ୱର ଓ ସ୍ପେଶାଲସ୍କ୍ୱାଡ ଅଧିନରେ ଜାରି ରହିଥିଲା ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେବେକାର ସମ୍ବଲପୁର ପୁଲିସ ଅଧିକାରୀ ଆଜି ପ୍ରମୋସନ ପାଇ ଭୁବନେଶ୍ୱରରେ ରାଜ କରୁଥିବା ବେଳେ ସ୍ପେଶାଲସ୍କ୍ୱାଡ ଅଧିକାରୀ ଥିବା ବିଦ୍ୟୁତ ପଣ୍ଡା ଏସଡିପିଓ ହୋଇ ବସିଛନ୍ତି । କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ସାବାଡ କରି ପୁଲିସ ବିଭାଗର ମୁଣ୍ଡ ଉଚ୍ଚ ରଖିଥିବା ଆଲୋକ ଜେନା କିନ୍ତୁ ନାମ ନେଉଛନ୍ତି । ଜଣେ ସଚ୍ଚୋଟ ଅଫିସରଙ୍କୁ ଏମିତି ହିନସ୍ତା କରିବା ପୁଲିସର ସ୍ୱଚ୍ଛତା ନୁହେଁ ବରଂ ଚାମଚାଗିରି ବୋଲି ଲୋକ ମତ ରଖିଛନ୍ତି । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଆଲୋକ ଜେନାଙ୍କ ପାଇଁ ଆସୁଥିବା କମେଣ୍ଟ ହିଁ ପ୍ରମାଣ କରୁଛି ସେ କେତେ ଜନପ୍ରୀୟ ଅଫିସର । ବିଭାଗୀୟ ଅଧିକାରୀ ତୁରନ୍ତ ଘଟଣା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏନେଇ ଆମେ ଆଉ ଏକ ସାଙ୍ଘାତିକ ତଥ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଉପସ୍ଥାପନ କରିବୁ । ଯାହା ପ୍ରମାଣ କରିବ କେମିତି ଆଲୋଙ୍କ ପ୍ରତି ଅନ୍ୟାୟ କରାଯାଇଛି ।
Sukanta sahoo
Kn mare mare bhandaria ku mare niti ki, agaru bi anek example achhi, Mr Rana at Dharana place