ବ୍ରହ୍ମପୁର,(ସ୍ୱତନ୍ତ୍ର ପ୍ରିତିନିଧି): ବାସ ବହୁତ ହୋଇଗଲା । ତଳଠୁ ଉପର ଯାଏଁ ତେଲ ମାରି ମାରି ୪ମାସ କାଳ ଗଡେଇ ଦେଲେ । ଏଣିକି ଆଉ ନୁହେଁ । ଏଥରକ ଗାଦି ଛାଡିବା ସୁନିଶ୍ଚିତ । ଯେତେ ତେଲ ମାରନ୍ତୁ ବା ସାଲିସ କରନ୍ତୁ ଖସିବା ସମ୍ଭବ ନୁହେଁ । କାରଣ ଗଣ୍ଠି ଧରିଛନ୍ତି ପୁଲିସ ଡିଜି । ଏନେଇ ଏଟିଆରକୁ ପୁଲିସ ଡିଜିପି ସ୍ୱତନ୍ତ୍ର ଭାବେ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଥାନା ଅଧିକାରୀ ଗାଦି ଛାଡିବେ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । କେବଳ ଏହି ଜଣେ ଥାନା ଅଧିକାରୀ ନୁହଁନ୍ତି ୟାଙ୍କ ପରି ଯେଉଁମାନେ ବଦଳି ଅର୍ଡରକୁ ବି ବେଖାତିର କରି ଚାପି ରହିଛନ୍ତି ତୁରନ୍ତ ସେମାନଙ୍କୁ ନିଜ ଠିକଣାକୁ ପଠାଇ ଦିଆଯିବ । ଏନେଇ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା ଜଣାଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ।
କିଛିଦିନ ହେବ ବଡ଼ବଜାର ଥାନା ସମ୍ପର୍କରେ ଏଟିଆର ନ୍ୟୁଜ ଅନୁସନ୍ଧାନ ଚଳାଇଥିଲା । ନକଲି ଗୁଟଖା କାରବାର ହେଉ ଅବା ବେଟିଂ କିଭଳି ବେଧଡ଼କ ଚାଲୁଛି ଓ ସେଥିରେ ପୁଲିସ କିଭଳି ଚୁପ ରହୁଛି ତାହା ସାମ୍ନାକୁ ଆଣିଥିଲା । ଏତିକି ନୁହେଁ ବଦଳି ଅର୍ଡର ପରେ ବି ଥାନା ଅଧିକାରୀଙ୍କ ମନମାନି କିଭଳି ଚାଲିଛି ତାହାର ପର୍ଦ୍ଦାଫାସ କରିଥିଲା ଏଟିଆର । ଯାହାର ଏବେ ସିଧା ପ୍ରଭାବ ପଡିଛି । ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି । ସେ କହିଛନ୍ତି ପୁଲିସ ମୁଖ୍ୟାଳୟରୁ ସମସ୍ତ ଏସିପିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଯେଉଁଠିକି ବଦଳି ହୋଇଛି ତୁରନ୍ତ ସେଠାରେ ସେମାନେ ଯୋଗଦେବେ ।
ସୂଚନାଯୋଗ୍ୟ, ବଦଳି ହୋଇଥିବା ବାକି ଅଫିସରଙ୍କୁ ରାତାରାତି ରିଲିଫ କରାଯାଇଥିବା ବେଳେ ବଡ଼ବଜାର ଥାନା ଅଧିକାରୀଙ୍କୁ ସମାନ ସ୍ଥାନରେ ବସାଇ ରଖିବା ପୁଲିସର ସ୍ୱଚ୍ଛତାକୁ ନେଇ ଉଠାଇଥିଲା ପ୍ରଶ୍ନ । ଥାନା ଅଧିକାରୀ ସେଠାରୁ ଆସିବାକୁ ଏକ ପ୍ରକାର ଅମଙ୍ଗ ହେଉଥିବା ବେଳେ ସେଠାରେ ପୁଣି ଅବସ୍ଥାପିତ ହେବାକୁ ଲବି କରୁଥିଲେ । ଯାହା ଏବେ ଫସର ଫାଟିଛି ।
ତେବେ ସୂଚନା ଥାଉକି ଏଠାରେ ଏଟିଆର ଟିମର ଅଭିଯାନ ଶେଷ ହେଉନାହିଁ ଖୁବ ଶୀଘ୍ର ବ୍ରହ୍ମପୁର ଅଞ୍ଚଳରେ ଥିବା ଜଣେ କରିତକର୍ମା ଏଏସଆଇଙ୍କର ଆମେ ପର୍ଦ୍ଦାଫାସ କରିବୁ । ଯିଏକି ଫାଣ୍ଡିରେ ନାମକୁ ମାତ୍ର ଅଧିକାରୀ ଥିବା ବେଳେ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି । ତାଙ୍କ ନାଁରେ ମଧ୍ୟ ଘନଘନ ଅଭିଯୋଗ ପହଞ୍ଚିଛି ଏଟିଆର ନ୍ୟୁଜ ପାଖରେ । ଖୁବ ଶୀଘ୍ର ଏ ସମ୍ପର୍କରେ ସମସ୍ତ ତଥ୍ୟ ସହ ଖବର ପ୍ରକାଶ ପାଇବ ।