ବାଲୁଗାଁ,(ଏଟିଆର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି । କମେଣ୍ଟ ମରା ଓ ଅସଦାଚରଣ ଘଟଣାକୁ ନେଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସେପଟେ ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗର ଫର୍ଦ୍ଦ ଦାଖଲ କରାଯାଇଛି । ରିପୋର୍ଟ ଅନୁସାରେ, ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିବା ବେଳେ ଘର ବଡ଼କୂଳ ଅଞ୍ଚଳରେ ।
ତେବେ କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ଯୁବକ ପ୍ରକାଶ ଦଳେଇଙ୍କ ସହ ତାଙ୍କର ବଚସା ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ ପ୍ରକାଶଙ୍କୁ ଗିରଫ କରିଥିଲା । ତେବେ ୧୦ଦିନ ତଳେ ପ୍ରକାଶ ଜେଲରୁ ବାହାରିଥିଲା । ଏହାପରେ ସେ ବାଟରେ ଘାଟରେ ଛାତ୍ରୀଙ୍କୁ କମେଣ୍ଟ କରିବା ସହ ଅସଦାଚରଣ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ତେବେ ଏହି ଘଟଣାକୁ ନେଇ ଚିନ୍ତାରେ ରହିଥିଲେ ଛାତ୍ରୀ ଜଣଙ୍କ । ତେଣୁ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଯଦିଓ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ।