ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୌସୁମୀ ଓଡିଶା ଛୁଇଁଲାଣି । ଏଥର ଜୋରଦାର ବର୍ଷିବ । ଗରମରୁ ଟିକେ ମୁକ୍ତି ମିଳିଲା ଭାବି ଯେତିକି ଖୁସି ଲାଗୁନାହିିଁ ତାଠୁ ଢ଼େର ଅଧିକ ବିପି(ବ୍ଲଡ ପ୍ରେସର) ବଢ଼ିଯାଉଛି । କାରଣ ଅବସ୍ଥା ଏବେ ପୂରା ବାର ବାଜିଯିବ । ସିଧା କହିବାକୁ ଗଲେ ସ୍ମାର୍ଟସିଟିର ହୋଲିଆ ଏକଦମ ବଦଳିଯିବ । ଘରେ ନାଳ ନର୍ଦ୍ଦମା ପାଣି ପଶିବ, ଲୋକେ ଦହଗଞ୍ଜ ହେବେ । ବର୍ତ୍ତମାନ ଏହି ଚିନ୍ତା ସମସ୍ତଙ୍କୁ ଘାରିଛି ।
ଖାସ କରି ଆଚାର୍ଯ୍ୟବିହାର, ଜୟଦେବବିହାର, ନୟାପଲ୍ଲୀ, ପଳାଶୁଣି, ରସୁଲଗଡ଼, ଝାରପଡ଼ା, ଫରେଷ୍ଟପାର୍କ ବାସିନ୍ଦାଙ୍କର ତ’ ନିଦ ହଜିଗଲାଣି । କହିବେ କାହାକୁ ଶୁଣିବ ବା କିଏ? ପ୍ରତିବର୍ଷ ବାହାଷ୍ଫୋଟ ମାରିବାରେ ତ’ ଜମାରୁ ବି ହେଳା କରୁନାହିଁ ବିଏମସି । କାମ ତୁରନ୍ତ ହୋଇଯିବ ବ୍ୟସ୍ତ ହେବାର ନାହିଁ କହି ଲୋକଙ୍କୁ ଡାହା ମିଛ କୁହାଯାଉଛି । ଏପଟେ କିନ୍ତୁ ଯେଉଁ ସମସ୍ୟାକୁ ସେହି ସମସ୍ୟାରେ ଧନ୍ଦି ହେଉଛନ୍ତି ଲୋକେ । ବରଂ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନାଳ ନର୍ଦ୍ଦମା ଏଯାବତ ସଫା ହୋଇନଥିବା ବେଳେ ଏବେ ପୁଣି ରାସ୍ତାଘାଟ ଖୋଳା ହୋଇ ପଡିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ରାସ୍ତା ଖୋଳା କାମ ଚାଲିଛି ଯେ, ଚାଲିଛି । ସରିବାର ନା ଗନ୍ଧ ଧରୁନାହିଁ । ଯାହା ବର୍ଷାଦିନେ ଆଉ ଏକ ବଡ଼ ସମସ୍ୟାକୁ ଟାଣି ଆଣିବ ଏଥିରେ ଆଦୌ ସନ୍ଦେହ ନାହିଁ ।
ସବୁଠୁ ବଡ଼ କଥା ହେଉଛି ବାହାଘର ବେଳେ ସବୁବର୍ଷ ବାଇଗଣ ରୋଇବା ନୀତିରେ ମାଡି ଚାଲିଛି ବିଏମସି । ବର୍ଷା ଦିନ ଆସିଲେ ହିଁ ବିଭାଗୀୟ ଅଧିକାରୀଙ୍କ ହେତୁ ପଶୁଛି । ଖାଲି ପ୍ୟାଚ ପକା କାମ କରି ସହରବାସୀଙ୍କୁ ଭୁଆଁ ବୁଲାଯାଉଛି । ରିପୋର୍ଟ କହୁଛି ଗତ ୮ବର୍ଷ ହେଲା ବେଙ୍ଗ ମୁତିଲେ ରାଜଧାନୀରେ ବନ୍ୟା ଆସୁଛି । ଲୋକେ ନାକରେ କାନ୍ଦୁଛନ୍ତି । ଘରେ ପାଣି ପଶିବା ଯୋଗୁଁ ତଳିଆ ଅଞ୍ଚଳ ଲୋକେ ତ’ ଭୋକ ଉପାସରେ ରହୁଥିବାର ନଜିର ରହିଛି । ତେଣୁ ଏହାପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।
ବିଦ୍ର: ପ୍ରତିବର୍ଷ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଉଥିଲେ ମଧ୍ୟ କିଛି ଫରକ ପଡୁନି ବିଭାଗୀୟ ଅଧିକାରୀଙ୍କ ଉପରେ । ଲାଗୁଛି ଏହା ଦେହଶୁହା ହୋଇଗଲାଣି । ତେବେ ଏନେଇ ଯେଉଁଦିନ ଲୋକେ ତାତିବେ ସେଦିନ ହୁଏତ ଅଧିକାରୀଙ୍କ ଜ୍ଞାନ ଉଦୟ ହେବ ।