ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଆସନ୍ତାକାଲି ସାରା ଦେଶ ପାଳନ କରିବ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆସନ୍ତାକାଲି ଠାରୁ ସମଗ୍ର ଦେଶରୁ ପ୍ଲାଷ୍ଟିକ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ରାଜ୍ୟ ସରକାର ମଧ୍ୟ ଗମ୍ଭୀରତାର ସହକାରେ ନେଇଛନ୍ତି । ଏନେଇ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ।
ସମସ୍ତ ସହରାଞ୍ଚଳରେ ଏହି ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ଜଣା ପଡିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଗଷ୍ଟ ୧୫ ଠାରୁ ସାରା ଦେଶରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରି ପ୍ଲାଷ୍ଟିକ ଜରି, ଥର୍ମକୁଲ ପ୍ଲେଟ,କପ,ଗ୍ଲାସ ଏବଂ ୨୦୦ ମିଲିଗ୍ରାମରୁ କମ ପାଣି ବୋତଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦେଶ ହୋଇଛି ।
ଉଭୟ ବ୍ୟବହାରକାରୀ ଓ ନିର୍ମାତାଙ୍କ ଉପରେ ଏନେଇ ଜରିମାନା ମଧ୍ୟ ଲାଗୁ ହୋଇପାରେ । ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ପ୍ଲାଷ୍ଟିକ ବ୍ୟାନକୁ ନେଇ ଧରପଗଡ ହୋଇଥିଲା । ମାତ୍ର କିଛି ମାସର ଧରପଗଡ ପରେ ଏବେ ଯେଉଁ କଥାକୁ ସେଇକଥା । ବଜାରରେ ଏବେ କୁଢକୁଢ ପ୍ଲାଷ୍ଟିକ । ତେବେ ଦେଖିବାକୁ ବାକି ରହିଲା ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଥିବା ଏହି ନିୟମ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହୁଛି ।