ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦାମଙ୍କୁ ଉସକାଉଛନ୍ତି ବିଷ୍ଣୁ । ଦାମଙ୍କ ଉପରେ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ବିଷ୍ଣୁ । “ ଦାମ ବାବୁଙ୍କର ଆଉ କିଛି ନାହିଁ , ସେ କାହାକୁ କଣ ଟକ୍କର ଦେବେ” ଏପରି ମନ୍ତବ୍ୟ ଦେଇଛନ୍ତି ବିଷ୍ଣୁ ଦାସ । ବିଜେଡିରୁ ବହିସ୍କୃତ ହେବା ପରେ ଦାମ ଓ ତାଙ୍କର ଚିରପ୍ରତିଦ୍ୱନ୍ଦୀ ବିଷ୍ଣୁଙ୍କ ମଧ୍ୟରେ ତୁ ତୁ ମେ ମେ ଜାରି ରହିଛି । ଏଭଳି ପରିସ୍ଥିତିରେ ପାରାଦୀପରେ ନିଜ ପାଇଁ ଆସନ ସୁରକ୍ଷିତ କରିବା ଲାଗି ମନେ ମନେ ଲାଗିପଡିଛନ୍ତି ବିଷ୍ଣୁ ଦାସ । ପାରାଦୀପ ରେ ଅନେକ ପ୍ରାର୍ଥୀ ଅଛନ୍ତି , ମୁଖ୍ୟମନ୍ତ୍ରୀ ଯାହାକୁ ନିର୍ବାଚନ ଲଢିବା ଲାଗି କହିବେ ସେ ହିଁ ନିର୍ବାଚନ ଲଢିବେ ବୋଲି ବିଷ୍ଣୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ବାଚନ ଲଢିବାଲାଗି କୁହନ୍ତି ତେବେ ସେ ନିର୍ବାଚନ ଲଢିବେ ବୋଲି ଖୋଦ ବିଷ୍ଣୁ ଦାସ କହିଛନ୍ତି ।
ସେପଟେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଦାମୋଦର ରାଉତ ତାଙ୍କୁ ଟକ୍କର ଦେବା ନେଇ ପ୍ରଶ୍ନର ଉତ୍ତରରେ ବିଷ୍ଣୁ ଦାସ କହିଛନ୍ତି ଯେ“ ଦାମ ରାଉତଙ୍କ ଆଉ କଣ ଅଛି ଯେ ସେ କାହାକୁ ଟକ୍କର ଦେବେ । ସେ ଏବେ ଦଳରେ ନାହାନ୍ତି କି ତାଙ୍କ ସହ କେହି ଦଳୀୟ କର୍ମୀ ନାହାନ୍ତି । ତେଣୁ ସେ ଏବେ ଏକୁଟିଆ”ା ଖାଲି ସେତିକି ନୁହେଁ ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ରାଉତ ଡରାଇ ରଖିଥିଲେ , ସେମାନେ ଏବେ ନିଜ ଇଚ୍ଛାରେ ଆସି ଦଳକୁ ଅଗେଇନେବେ ବୋଲି ବିଷ୍ଣୁ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ।