ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ନିରଙ୍କୃଶ ଭାବେ କ୍ଷମତା ଅକ୍ତିଆର କରି ୧୮ ବର୍ଷ ହେଲା ଶାସନ କରୁଥିବା ବିଜୁ ଜନତା ଦଳ (ବିଜେଡି) ଯେ ଦୁର୍ନୀତି କରୁନି, ତାହା କହିବା ଅସମ୍ଭବ । କିନ୍ତୁ ଏତେ ଦୁର୍ନୀତି ଓ ଲୋକ ସମସ୍ୟା ସତ୍ତ୍ୱେ ଲୋକମାନେ ବିଜେଡି ସୁପ୍ରିମୋ ତଥା ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଜଣାଶୁଣା ନୀବନ ପଟ୍ଟନାୟକଙ୍କ ମୁହଁ ଚାହିଁ ହିଁ ଭୋଟ ଦେଉଛନ୍ତି ବୋଲି କହିଲେ ଭୁଲ ହେବନାହିଁ ।
ବିଜେଡି ଏମିତି ଏକ ଦଳ ଯେଉଁଠି ନେତା ଅସ୍ୱଚ୍ଛ କିନ୍ତୁ ମୁଖିଆ ସ୍ୱଚ୍ଛ । ନେତାଙ୍କ ଦୁର୍ନୀତି ଯୋଗୁ ଅବଶ୍ୟ ଦଳକୁ ଫାଇଦା ହେଉଛି । କାରଣ ଠିକାଦାର ହେଉକି ସେ ଚିଟଫଣ୍ଡ ଦଳୀୟ ନେତା ଯାହା ବି କଲେ ଏଥିରୁ ମିଳୁଥିବା ମୁନାଫା ଦଳ ପାଖକୁ ହିଁ ଆସୁଛି । ଯାହା ଭୋଟ କିଣିବାରେ ସହାୟକ ହେଉଛି । ହେଲେ ଯେତେବେଳେ ଦୁର୍ନୀତି ଧରାପଡ଼ି ଯାଉଛି, ସେତେବେଳେ ଦଳର ମୁଖିଆ କୌଣସି ନା କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଳି ନିଜେ ସ୍ୱଚ୍ଛ ବୋଲି ପ୍ରମାଣିତ କରୁଛନ୍ତି ।
ପ୍ରଥମେ ଆସିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପାଖକୁ । ବିଜେଡିରେ ପ୍ରଭାତଙ୍କର ବେଶ ଦବ୍ଦବା ରହିଛି । ବିଜେଡିର କଟକ ରାଜନୀତିରେ ପ୍ରଭାତଙ୍କୁ ବାଦ ଦେଇ ବିଜେଡି ଯେ ରାଜନୀତିକ ଗୋଟି ଚାଳନା କରିପାରିବ, ତାହା ଭାବିବା ଭୁଲ । ପ୍ରଭାତ ଅର୍ଥତତ୍ତ୍ୱ ଚିଟଫଣ୍ଡରେ ଜଡ଼ିତ ଥିବା ଦଳୀୟ ସୁପ୍ରିମୋ ବେଶ ଭଲ ଭାବେ ଜାଣିଥିଲେ । କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଏବେ ତାଙ୍କୁ ସିବିଆଇ ବାନ୍ଧିଛି । ତଥାପି ପ୍ରଭାତଙ୍କ ପ୍ରଭାବ ଆଗରେ ସିବିଆଇ ବି ହାର ମାନିଛି ।
ସିବିଆଇ ତାଙ୍କୁ ଗିରଫ କରିଛି ସିନା ହେଲେ ଜେଲ ହାଜତକୁ ପଠାଇ ପାରିନାହିଁ । ସେ ଦୀର୍ଘ ୪ ମାସରୁ ଅଧିକ ଦିନ ହେଲାଣି କଟକ ବଡ଼ ହସ୍ପିଟାଲରେ ରହିଛନ୍ତି । ତାଙ୍କୁ ଏମିତି କ’ଣ ରୋଗ ହୋଇଛି ଯେ ଡାକ୍ତର ବି ସେଇଟା ଜାଣି ପାରୁନାହାନ୍ତି । ଅନ୍ୟପକ୍ଷରେ ପ୍ରଥମଥର ପାଇଁ କୌଣସି ଦୁର୍ନୀତିରେ ଗିରଫ ହୋଇଥିବା ଦଳୀୟ ନେତାଙ୍କ ବିରୋଧରେ ନବୀନ ନୀରବତା ଅବଲମ୍ବନ କରିଛନ୍ତି । କାରଣ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ସେ ରାମଚନ୍ଦ୍ର ହାଁସଦା, ତତ୍କାଳୀନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କୁ ନୀବନ ସେମାନଙ୍କ ପଦରୁ ହଟାଇ ନିଜ ସ୍ୱଚ୍ଛତାର ପରିଚୟ ଦେଇଥିଲେ । ହେଲେ ଏବେ ପ୍ରଭାତଙ୍କ କ୍ଷେତ୍ରରେ ଏ ଵ୍ୟତିକ୍ରମ କାହିଁକି?
ଅନ୍ୟପଟେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଯେତେବେଳେ ସିବିଆଇ ଗିରଫ କରିଥିଲା, ନବୀନ ତୁରନ୍ତ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ । କେବଳ ପ୍ରଭାତ, ପ୍ରଶାନ୍ତ କିମ୍ବା ରାମଚନ୍ଦ୍ର ନୁହନ୍ତି । ବିଜେଡିର ପ୍ରାୟ ସବୁ ନେତାଙ୍କ ଦେହରେ ଦୁର୍ନୀତିର ଛିଟା ଲାଗିଛି । ହେଲେ ବିରୋଧୀ କେବେ ହେଲେ ନବୀନଙ୍କୁ ଦୁର୍ନୀତିର ପଙ୍କରେ ବୁଡ଼ାଇ ପାରିନାହାନ୍ତି । ବିରୋଧୀ ସର୍ବଦା ବିଜେଡି ଦଳ କିମ୍ବା ସରକାରଙ୍କ ଅନ୍ୟମନ୍ତ୍ରୀମାନେ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି, ହେଲେ ନବୀନଙ୍କ ସ୍ୱଚ୍ଛତା ଉପରେ କେବେ ହେଲେ ପ୍ରଶ୍ନ କରିନାହାନ୍ତି ।
ନବୀନଙ୍କ ଯୁବ ବାହିନୀ କହିଲେ ବିଧାୟକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରଣବ ପ୍ରକାଶ ଦାସଙ୍କୁ ବୁଝାଏ । ହେଲେ ଏମାନଙ୍କ ମଧ୍ୟରୁ ଜଣେ ହେଲ ବି ଦୁଧ କା ଧୁଲ୍ଲା ନୁହନ୍ତି । ଏପରି କି ବିଜେପୁର ନିର୍ବାଚନ ସମୟରେ ଏକ ଟିଭି ବିତର୍କରେ ବିଧାୟକ ଅରୁଣ ସାହୁ ଛାତି ବାଡ଼େଇ ନିଜ ନିର୍ବାଚନ ମଣ୍ଡଳୀରେ ପିସି କାରବାର ନେଇ ପ୍ରମାଣ କରି ଦେଖାଇବାକୁ ଆହ୍ୱାନ ଦେଇଥିଲେ । ହେଲେ ବାସ୍ତବରେ ନୟାଗଡ଼ରେ ସରକାରୀ କାମ କେମିତି ହେଉଛି, ତାହା ପଞ୍ଚାୟତସ୍ତରରୁ ଅନୁମେୟ ।
ଏହାର ଉଦାହରଣ ସ୍ୱରୂପ ଗତଥର ନୟାଗଡ଼ ପୌର ନିର୍ବାଚନରେ ଦଳର ଶୌଚନୀୟ ପରାଜୟ ହୋଇଥିଲା । କଂଗ୍ରେସ ଏଠାରେ ବାଜିମାତ୍ କରିଥିଲା । ଖାଲି ଅରୁଣଙ୍କ ନିର୍ବାଚନମଣ୍ଡଳୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପିସି କାରବାର ଚାଲିଛି । ତଥାପି ମୁଖିଆଙ୍କୁ କେହି ବି ଆଜି ପର୍ଯ୍ୟନ୍ତ ଦୁର୍ନୀତିର ଫାସରେ ପକାଇ ପାରିନାହାନ୍ତି ।
ଅପରାଗ ବିରୋଧୀ ଦଳଙ୍କ କ୍ଷୀଣ ବିରୋଧ ସ୍ୱରକୁ ଚ୍ୟାଲେଞ୍ଜ କରି ରାଜ୍ୟରେ ପିସି ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । ଯାହା କି ବୁଦ୍ଧିଜୀବୀ ମହଲରେ ହାସ୍ୟରୋଳର ଖୋରାକ ଯୋଗାଇଥିଲା । ତେବେ ଦେଖାଯାଉ ଆଗକୁ ବିଜେଡିର ମୁଖିଆ ନିଜକୁ କେତେ ଦିନ ଏମିତି ସ୍ୱଚ୍ଛ ରଖିବାରେ ସକ୍ଷମ ହେଉଛନ୍ତି ।