ବୌଦ୍ଧ (ଏଟିଆର ବ୍ୟୁରୋ):ସାମାନ୍ୟ କଥାକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବନ୍ଧୁ ହିଁ ବଇରୀ ସାଜିଛି । ଭୋଜିଭାତ ଆଳରେ ଘରୁ ଡାକିନେଇ ହତ୍ୟା କରାଯିବା ଭଳି ଘଟଣା ଏବେ ପୂରା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ପୋଡା ବାଇକ ଜବତ ହୋଇଛି । ତେବେ ହତ୍ୟା ପଛର ପ୍ରକୃତ କାରଣ ଏଯାବତ ଜଣାପଡିନାହିଁ ।
ସୂଚନା ଅନୁସାରେ, ମଙ୍ଗଳବାର ରାତି ବାଉଁଶୁଣି ଥାନା ମଲ୍ଲିକପଡା ଗାଁର ମିକୁ ପ୍ରଧାନ(୨୪),ସୁଜିତ ପ୍ରଧାନ(୨୨) ଓ ଅଜିତ ପ୍ରଧାନ(୨୪) ଏକାଠି ମିଶି ଏକ ଭୋଜି ଆୟୋଜନ କରିଥିଲେ । ଭୋଜିରେ ବେଶ୍ ହସ ଖୁସିରେ ଥିଲେ ତିନି ସାଙ୍ଗ । ଏକାଠି ବସି ଖାଇଲେ, ରାତି ବେଶି ହୋଇ ଯାଇଥିବାରୁ ଆଉ ଘରକୁ ନଫେରି ସେହି ସ୍ଥାନରେ ଶୋଇପଡିଥିଲା । ହଠାତ୍ କୌଣସି କାରଣ ବସତଃ ତିନି ସାଙ୍ଗଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା । ଏହି ବଚସା ଧୀରେ ଧୀରେ ତୀବ୍ର ରୂପ ଧାରଣ କରିଥିଲା । ଅଜିତଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କଲେ ମିକୁ ଆଉ ସୁଜିତ । ତାଙ୍କ କ୍ରୋଧ ଏତିକିରେ ସରିନଥିଲା । ଶେଷରେ ଅଜିତଙ୍କ ବାଇକୁ ମଧ୍ୟ ପୋଡିଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।