ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଡ଼ିଶା ଓ ଏହା ବାହାରୁ ଜମାକାରୀଙ୍କଠାରୁ ୪୩୩ କୋଟିରୁ ଅଧିକ ଟଙ୍କା ଠକେଇ କରିବା ଘଟଣାରେ ଚିଟଫଣ୍ଡ ସଂସ୍ଥା ନିର୍ମଳ ଇନଫ୍ରା ହୋମ କର୍ପୋରେସନ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଅଶିଷ ଚୌହାନ ଓ ଜିଏମ ଅଭିଶେଖ ଚୌହାନଙ୍କୁ ସିବିଆଇ ବୁଧବାର ଗିରଫ କରିଛି ।
ସେମାନଙ୍କୁ ଆଜି ସ୍ଥାନୀୟ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଠକେଇ ସମ୍ପର୍କୀତ ଅଧିକ ତଥ୍ୟ ଯୋଗାଡ କରିବା ଲାଗି ସିବିଆଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ଲାଗି ଯୋଜନା ଚଳାଇଛି ।
ବିଶେଷସୁତ୍ରରୁ ଖବର ପାଇ ସିବିଆଇ ଅଭିଯୁକ୍ତ ଦ୍ୱୟଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । ସେମାନେ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଫେରୁଥିବା ବେଳେ ସିବିଆଇ ଟିମ ସେମାନଙ୍କୁ କାବୁ କରିଥିଲା ।
ସୂଚନାଥାଉକି, ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟପ୍ରଦେଶ ଭୋପାଲରେ ଥିବା ବେଳେ ଦୁଇ ଅଭିଯୁକ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଖା ଖୋଲି ଲୋକଙ୍କଠାରୁ ଜମା ଟଙ୍କା ଉଠାଇଥିଲେ । ଜମା ଟଙ୍କା ଉପରେ ଅଧିକ ସୁଧ ଦେବାକୁ କହି ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ହଡପ କରିଥିଲେ । ପରେ ସବୁ ଟଙ୍କା ନେଇ ଅଭିଯୁକ୍ତ ଚମ୍ପଟ ମରିଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରି ନପାଇବାରୁ ଜମାକରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ତଦନ୍ତ ଭାର ହାତକୁ ନେବା ପରେ ସଂସ୍ଥା ୪୩୩ କୋଟିରୁ ଅଧିକ ଟଙ୍କା ଲୋକଙ୍କୁ ଠକିଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ।