ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଆରପିଏଫ କର୍ମଚାରୀଙ୍କ ଉନ୍ମତ କାଣ୍ଡ । ଟିକେଟ କାଉଁଟର ସମ୍ମୁଖରେ ନିସ୍ତୁକ ମାଡ଼ । ଜଣେ ଯାତ୍ରୀଙ୍କୁ ଗୋଡାଇ ତୋଡାଇ ପିଟିଛନ୍ତି ଜଣେ ରେଳ ସୁରକ୍ଷା ବଳ କନଷ୍ଟେବଳ । ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଆରପିଏଫର ସ୍ୱଚ୍ଛତାକୁ ନେଇ ଉଠାଇଛି ପ୍ରଶ୍ନ । ମିଳିଥିବା ରିପୋର୍ଟ ଅନୁସାରେ, ଖଡଗପୁର ଅଂଚଳର ପି ରାଘବେନ୍ଦ୍ର ପାତ୍ର ଓରଫ୍ ରକି ନାମକ ଜଣେ ଯୁବକ ତାଙ୍କର ବନ୍ଧୁଙ୍କୁ ଭେଟିବାକୁ ଭୁବନେଶ୍ୱର ଆସିଥିଲେ । ସାଙ୍ଗମାନଙ୍କ ସହ ଏକ ପାର୍ଟିରେ ମଦ ପିଇ ପୁଣି ଫେରିବାକୁ ବାହାରିଥିଲେ । ସେତେବେଳକୁ ରାତି ୧୨ଟା ହେବ ।
ଗୋଟାଏରେ ତାଙ୍କ ଟ୍ରେନ ଥିଲା । ଏଥିପାଇଁ ସେ ଟିକେଟ୍ କରିବାକୁ କାଉଁଟର ପାଖରେ ପହଁଚିଥିଲେ । ପୂର୍ବରୁ କାଉଁଟର ପାଖରେ ଠିଆ ହୋଇ ରେଳ କର୍ମଚାରୀଙ୍କ ପାଖରେ ଆଖଡା ଜମାଇଥିଲେ ଆରପିଏଫର ଜଣେ କନଷ୍ଟେବଳ । ରକି ସେଠାରେ ପହଁଚି ଟିକେଟ୍ ମାଗିଥିଲେ । ମଦ ବାସ୍ନା ପାଇବା ପରେ ଆରପିଏଫ କର୍ମଚାରୀଙ୍କୁ ମୌକା ମିଳିଥିଲା । କାହିଁକି ମଦ ପିଇଛୁ ବେଲି ଏଣୁତେଣୁ ପ୍ରଶ୍ନ କରି ଯୁବକଙ୍କୁ ଡରାଇଥିଲେ । ତେବେ ରକି ମଦ ପିଇବା କ’ଣ ଭୁଲ ହୋଇଗଲା ବୋଲି ପ୍ରଶ୍ନ କରିବାରୁ ଆରପିଏଫ କର୍ମଚାରୀଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ପୂରା ଟିକେଟ୍ କାଉଁଟର ଓ ଶହ ଶହ ଲୋକଙ୍କ ଆଗରେ ଗୋଡାଇ ତୋଡାଇ ରକିକୁ ପିଟିଥିଲେ ଆରପିଏଫ କନଷ୍ଟେବଳ । ଏଠି ପ୍ରଶ୍ନ ଉଠୁଛି ମଦ ପିଇବା ପରେ ଜଣେ ବ୍ୟକ୍ତିିଙ୍କୁ ମାଡ଼ ମାରିବା କେତେଦୂର ଠିକ?
ସେପଟେ ଉପସ୍ଥିତ ଲୋକଙ୍କ କହିବା କଥା ବିନା କାରଣରେ ଆରପିଏଫ କନଷ୍ଟେବଳ ଏମିତି କାଣ୍ଡ ଭିଆଇଛନ୍ତି । ମାଡ଼ରେ ରକିଙ୍କ ଡାହାଣ ହାତରେ ଲୋଳା ବସିଯାଇଛି । କାନ୍ଦିକାନ୍ଦି ଘଟଣା ସମ୍ପର୍କରେ ଜିଆରପି ଆଗରେ ସବୁ ବଖାଣୁଥିବା ବେଳେ ରକିଙ୍କୁ ଭେଟିଥିଲା ଏଟିଆର ଟିମ୍ । ପଚରାଉଚରାରୁ ଜଣାପଡିଲା ବିନା କାରଣରେ ଆରପିଏଫ୍ କନଷ୍ଟେବଳ ଏପରି ଘଟଣା ଘଟାଇଛନ୍ତି । ଟିକେଟ୍ କାଉଁଟର ସିସିଟିଭି ଯାଁଚ କରାଗଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଉପସ୍ଥିତ ଲୋକେ ଜଣାଇଛନ୍ତି । ସେହି ଆରପିଏଫ୍ କନଷ୍ଟେବଳ ସବୁଦିନ ଏମିତି ଲୋକଙ୍କୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ ଉଠୁଥିବା ବେଳେ ବିଭାଗୀୟ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।