ବ୍ରହ୍ମପୁର,(ଏଟିଆର ବ୍ୟୁରୋ) : ଏକ ତରଫା ପ୍ରେମ ମହଙ୍ଗା ପଡିଲା । ବାଟ ଘାଟରେ ଅଟକାଇ ଛାତ୍ରୀଙ୍କୁ କମେଣ୍ଟ କରିବା ବେଳେ ଆଜି ବହେ ସେକା ଖାଇଛି ରସିକିଆ ଯୁବକ । ବିଚ ରାସ୍ତାରେ ଚପଲରେ ପିଟିଛନ୍ତି ଛାତ୍ରୀ । ଏମିତି ଏକ ଘଟଣା ନଜରକୁ ଆସିଛି ବ୍ରହ୍ମପୁରରେ । କେବଳ ଏତିକି ନୁହେଁ ଚପଲ ମାଡ଼ର ଫଟୋ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରିପୋର୍ଟ ଅନୁସାରେ, କଲେଜ ଛାତ୍ରୀ ଜଣଙ୍କ ଯେତେବେଳେ ବି କଲେଜ ଆସୁଥିଲେ ଠିକ ସେତିକି ବେଳେ ତାଙ୍କୁ ପିଛା କରୁଥିଲା ଯୁବକ ଜଣଙ୍କ । ବାଟରେ ଘାଟରେ ବେଳେ ବେଳେ କମେଣ୍ଟ ମଧ୍ୟ ପାସ କରୁଥିଲା । ହେଲେ ଆଜି ବେଳ ଖରାପ ପଡିଥିଲା । ଟାଉନଥାନା ଅନ୍ତର୍ଗତ ଗାନ୍ଧିନଗର ନିକଟରେ ଥିବା ସାଇ କମ୍ପେ୍ଲକ୍ସ ପାଖରେ ଛକି ବସିଥିବା ରସିକିଆ ଯୁବକ ଅଚାନକ ଛାତ୍ରୀଙ୍କୁ ଦେଖି ଆଜି ତାର ସେହି ପୁରୁଣା ହରକତ ଆରମ୍ଭ କରିଥିଲା । ହେଲେ ଏଥରକ ଆଉ ଛାତ୍ରୀ ଜଣଙ୍କ ସହି ନଥିଲେ ।
ସିଧା ପାଖକୁ ଆସି କଲର ଧରି ଟାଣି ଆଣିବା ସହ ଚପଲରେ କାନମୁଣ୍ଡକୁ ସେକି ଦେଇଥିଲେ । ବଜାର ଉପରେ ଏଭଳି ଘଟଣା ଲୋକଙ୍କୁ ତାଜୁବ କରି ପକାଇଥିଲା । ତେବେ ଏନେଇ ଥାନାରେ ଏଯାବତ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ।