ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ବାଣ ମାରି ଚାଲିଛନ୍ତି ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତ । ପ୍ରଥମେ ଚାରା ତ’ ପରେ ଓମଫେଡ ଜରି ଆଉ ଏବେ ସମବାୟ ବ୍ୟାଙ୍କ ୭ଶହ କୋଟି ଟଙ୍କା ଦୁର୍ନୀତିର ରିପୋର୍ଟ କୁଆଡେ ଗଲା କହି ରାଜ୍ୟ ରାଜନୀତିରେ ପୁଣି ଭୁମିକମ୍ପ କରାଇଛନ୍ତି ।
ଏତିକି ନୁହେଁ ୩୭କୋଟି ଟଙ୍କାର କମ୍ପ୍ୟୁଟରୀକରଣ ଦୁର୍ନୀତି ବିଷୟରେ ପ୍ରଶ୍ନ ଉଠାଇଛନ୍ତି ଦାମ । ପୂର୍ବରୁ ସେ ସମବାୟ ମନ୍ତ୍ରୀ ଥିବା ବେଳେ ସେ ଏହି ଦୁର୍ନୀତିର ବାସ୍ନା ପାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯାହାର ରିପୋର୍ଟ କୁଆଡେ ଗଲା ବୋଲି କହି ଆଜି ପ୍ରଶ୍ନ ଉଠାଇଛନ୍ତି ସେ । ରାଜ୍ୟ ସମବାୟ ବ୍ୟାଙ୍କର ତକ୍ରାଳୀନ ଏମଡି ତୁଷାର ପଣ୍ଡା ଏହି ଦୁର୍ନୀତିର ଜଡିତ ଓ ତାଙ୍କୁ ଘଣ୍ଟଘୋଡାଯାଉଥିବା ବୋଲି କହିଛନ୍ତି ଦାମ ରାଉତ ।
କେବଳ ଏତିକି ନୁହେଁ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଫାର୍ମକୁ ଅନୁକମ୍ପା ଦେଖାଇ ୬କୋଟି ଟଙ୍କାର କମ୍ପ୍ୟୁଟର ଚଢ଼ାଦରରେ କିଣାଯାଇଥିଲା । ଯାହାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ, ବିଧାନ ସଭା ଆରମ୍ଭରୁ ଏକଦମ ଫାୟାରମୋଡରେ ରହିଛନ୍ତି ଦାମ । ଦାମଙ୍କ ଏଭଳି ଆକ୍ସନ ଏବେ ସରକାରୀ ଦଳକୁ ଅଡୁଆରେ ପକାଇଛି । ସେପଟେ ଦଳରେ ଗୁରୁତ୍ୱ ଦିଆଯାଉନଥିବାରୁ ଦାମ କ୍ଷୁବ୍ଧ ହୋଇ ଏପରି କରୁଥିବା ଦଳର କେତେକ ଯୁବନେତା କହିଛନ୍ତି ।