ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ବେଶ କିଛିଦିନ ପରେ ପୁଣି ଅପରାଧୀଙ୍କୁ ସବକ ଶିଖାଇବାକୁ ଯାଇ ଅଣ୍ଟା ଭିଡିଛି ପୁଲିସ । ଏଥରକ ରାତି ନୁହେଁ ବରଂ ଉଦୁଉଦିଆ ଖରାବେଳେ କରିଛି ଏନକାଉଣ୍ଟର । ବ୍ରହ୍ମପୁର ପୁଲିସର ଅଚାନକ ଏଭଳି ଅପରେସନ ଏବେ ଅନ୍ୟ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଛି । ଏନାକାଉଣ୍ଟରେ ଆହତ ହୋଇଛନ୍ତି କୁଖ୍ୟାତ ଅପରାଧୀ କୁନା ବେହେରା । କୁନା ନାଁରେ ରହିଛି ଏକାଧିକ ମାମଲା । ଛିନତାଇ ହେଉ ଅବା ଲୁଟ କି’ ଡକାୟତୀ ସବୁଥିରେ ମାଷ୍ଟରମାଇଣ୍ଡ ସାଜି ମୁଣ୍ଡ ବିନ୍ଧାର କାରଣ ହୋଇଥିଲା ପୁଲିସ ପାଇଁ । ଯାହାକୁ ଟ୍ରାକକୁ ଆଣିବା ଲାଗି ପୁଲିସ ଢ଼େରଦିନ ହେବ ଜାଲ ବିଛାଇଥିଲା ।
ଅପରେସନ ଆରମ୍ଭ ହୋଇଥିଲା ଗୋଳନ୍ଥରା ଓ ସଦରଥାନା ପୁଲିସକୁ ନେଇ । ମିଶନ ଥିଲା କୁନା । ଯାହା ଆଜି ସଫଳ ହୋଇଛି । କୁନା ବାଇକ ନେଇ ଟାମଣାଘାଟି ଯାଉଥିବା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା । ତେବେ ପୁଲିସକୁ ଦେଖି କୁନା ଅଚାନକ ପୁଲିସ ଉପରରୁ ଗୁଳିମାଡ଼ କରିଥିଲା । ପ୍ରତି ଜବାବରେ ପୁଲିସ ମଧ୍ୟ କୁନା ଉପରକୁ ପାଲଟା ଗୁଳି ଚଳାଇଥିଲା । ତା’ ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ଚିକିତ୍ସା ଲାଗି କୁନାକୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଏହି ଘଟଣାରେ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା ଓ ଏସଆଇ ଜଗନ୍ନାଥ ପ୍ରଧାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । କୁନାର ଅନ୍ୟ ସହଯୋଗୀଙ୍କୁ ଧରିବା ଲାଗି ପୁଲିସ ଏବେ ବି ତନାଘନା ଚଳାଇଥିବା ସୂଚନା ମିଳିଛି । କୁନା ପାଖରୁ ଗୋଟିଏ ବନ୍ଧୁକ ଓ ୨ରାଉଣ୍ଡ ଗୁଳି ସମେତ ବାଇକ ଜବତ କରିଛି ପୁଲିସ ।