ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ୧୨ ଘଣ୍ଟା ବିତିନି । ଚେର ଖୋଜି ପାଇଛି ପୁଲିସ । କାହିଁକି ଓ କେଉଁ କାରଣରୁ ଏଭଳି ଜଘନ୍ୟକାଣ୍ଡ ଘଟିିଲା ତାହାର ପର୍ଦ୍ଦାଫାସ କରିଛି । ଆମେ କହୁଛୁ ହଳଦିଆପଦର ଅଞ୍ଚଳର ସଞ୍ଜୁ ବେହେରାଙ୍କ ହତ୍ୟା ଘଟଣା କଥା । ଅତି ନୃଶଂସ ଭାବେ ସଞ୍ଜୁଙ୍କୁ ହତ୍ୟା କରାଯାଇ ରୁକୁଣା ଆଶ୍ରମ ପଛପଟ ବିଲରେ ଫିଙ୍ଗି ଦିଆଯାଇଥିଲା । ଯାହାର ତଦନ୍ତ କରିବାକୁ ଯାଇ ମାତ୍ର ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଛି ଗୋଳନ୍ଥରା ଥାନା ପୁଲିସ । ତା’ ନାଁ ଟୁନା ଡାକୁଆ(୩୭) ଓ ଘର ଗେଟବଜାର ଅଞ୍ଚଳରେ । ପରକ୍ରୀୟା ପ୍ରୀତି ହିଁ ହତ୍ୟା ଘଟଣାର ମୂଳ କାରଣ ବୋଲି ପୁଲିସ କହିଛି । ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଟିକିନିକି ସୂଚନା ଦେଇଛନ୍ତି ଏସପି ପିନାକ ମିଶ୍ର ।
ରିପୋର୍ଟ ଅନୁସାରେ, ଗେଟ ବଜାର ଅଞ୍ଚଳର ଟୁନା ଡାକୁଆ ପେଶାରେ ଜଣେ ମାଛ ବେପାରୀ । ଅବିବାହିତ ଥିବା ଟୁନାର ଗତ ୪ବର୍ଷ ତଳେ ସଞ୍ଜୁଙ୍କ ସହ ଦେଖା ହୋଇଥିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ତେବେ ପୂର୍ବରୁ ବିବାହିତ ସଞ୍ଜୁ ମଧ୍ୟ ବିପଦ ଆପଦରେ ଟୁନାର ସହଯୋଗ ଲୋଡୁଥିଲା । ତେବେ କିଛିଦିନ ହେବ ସଞ୍ଜୁ ଅନ୍ୟ ପୁରୁଷଙ୍କ ସହ ମିଶୁଥିବା ଖବର ପାଇ ଟୁନା ରାଗି ଯାଇଥିଲା । ପ୍ରଥମେ ପ୍ରଥମେ ସେ ସଞ୍ଜୁଙ୍କ ଏପରି ନକରିବାକୁ ବାରଣ କରିଥିଲା । ହେଲେ ସଞ୍ଜୁ ଆଦୌ ବଦଳିନଥିଲା । ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ବୋଲି ପୁଲିସ କହିଛି ।
ତେବେ ରବିବାର ଅପରାହ୍ଣରେ ଗ୍ରୁପ ଟଙ୍କା ଆଣିବାକୁ କହି ସଞ୍ଜୁ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜେ ଫୋନ କରି ବାହାରକୁ ବୁଲିଯିବା ଲାଗି ଟୁନାକୁ ଡାକିଥିଲା । ଫୋନ କଲ ପାଇ ଟୁନା ମଧ୍ୟ ସଞ୍ଜୁଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ଉଭୟ ଚାଲିଚାଲି ଆଶ୍ରମ ପଛପାଖ ବିଲ ପାଖକୁ ଯାଇଥିଲେ । ତେବେ ସେଠାରେ ପୂର୍ବ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ରାଗରେ ସଞ୍ଜୁ ଟୁନାର ହାତକୁ କାମୁଡି ଦେଇ ଅଣ୍ଡକୋଷକୁ ଚାପି ଦେଇଥିବା ଖୋଦ ଟୁନା ପୁଲିସକୁ ସୂଚନା ଦେଇଛି । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ବିୟର ବୋତଲରେ ଆକ୍ରମଣ କରି ସଞ୍ଜୁଙ୍କୁ ହତ୍ୟା କରିଥିବା ଟୁନା ପ୍ରକାଶ କରିଛି । ପୁଲିସ ଟୁନା ପାଖରୁ ହତ୍ୟାରେ ବ୍ୟବହୃତ ବିୟରବୋତଲ ଓ ମୋବାଇଲ ଫୋନ ଜବତ କରିଛି ।