ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କୋର୍ଟ ମ୍ୟାରେଜ ସରିଥିଲା । ଆସନ୍ତା ଜାନୁଆରୀରେ ପରିବାର ଲୋକ ବି ରାଜିଥିଲେ ଉଭୟଙ୍କର ଧୁମଧାମରେ ବାହାଘର କରାଇବା ଲାଗି । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଆରପାରିକୁ ଚାଲିଗଲେ ପ୍ରେମୀଯୁଗଳ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପିପିଲି ମଙ୍ଗଳପୁର ପଞ୍ଚାୟତରେ । ରାଉତପଡା କେନାଲ ନିକଟରୁ ମିଳିଛି ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ।
ତେବେ ଏହା ଆତ୍ମହତ୍ୟା ନା’ ସୁପରିକଳ୍ପିତ ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତା’ର ଚେର ଖୋଜୁଛି । ସେପଟେ ଉଭୟଙ୍କ ପରିବାର ଲୋକ ବି ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହା କେବେ ବି ଆତ୍ମହତ୍ୟା ହୋଇନଥିବ ବରଂ ସେମାନଙ୍କୁ କେହି ମାରି ଦେଇଥିବାର ଯୁକ୍ତି ବାଢ଼ିଛନ୍ତି ପରିବାର ଲୋକ । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।
ମୃତ ପ୍ରେମୀଯୁଗଳ ହେଲେ ଲବ ପୃଷ୍ଟି ଓ ସୌଦାମିନି ବେହେରା । ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସକାଳୁ ସକାଳୁ ଉଭୟ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । କେନାଲ ବନ୍ଧ ନିକଟରେ ଥିବା ଏକ ଆକାଶି ଗଛରେ ଉଭୟ ଝୁଲୁଥିଲେ । ତେବେ ପୁଅ ମୁହଁରେ ଗାମୁଛା ବନ୍ଧାଯାଇଥିବା ବେଳେ ଝିଅ ପାଟିରେ ଚୁନି ବନ୍ଧା ରହିଥିବା ଦେଖିବାକୁ ପାଇ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ତେବେ ପାରିପାଶ୍ୱର୍ିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।