ଭୁୁବନେଶ୍ୱର,୩/୨(ସ୍ପେଶାଲ ରିପୋର୍ଟ): ଚଢ଼ାଉ ପରେ ଚଢ଼ାଉ ହେଉଛି । କେତେବେଳେ ହୋଟେଲ ତ’ ଆଉ କେତେବେଳେ ପାର୍ଲରରେ । ପୁଣି କେତେବେଳେ ମସାଜ୍ ସେଣ୍ଟର ବି ବାଦ୍ ପଡୁନି ପୁଲିସ୍ ନଜରରୁ । ତେବେ ଏସବୁରେ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗରେ ହରଦମ୍ ଉଦ୍ଧାର ହେଉଛନ୍ତି ଦେହଜୀବୀ ଆଉ ଗିରଫ ହେଉଛନ୍ତି ଗ୍ରାହକ । କିନ୍ତୁ ପ୍ରତିଟି ଘଟଣାରେ ପ୍ରାୟ ଫେରାର ହେଇଯାଉଛନ୍ତି ମାଷ୍ଟରମାଇଣ୍ଡ ବା କିଙ୍ଗ୍ପିନ୍ । ତେବେ କେମିତି ଓ କାହିଁକି? ପୁଲିସକୁ ଚକମା ଦେବାରେ ଏତେ ମାହିର୍ କେମିତି ହେଉଛନ୍ତି ଏହି କିଙ୍ଗ୍ପିନ୍ମାନେ । ଯାହାକୁ ନେଇ ଉଠିଛି ପ୍ରଶ୍ନ? ଗତ କିଛିମାସ ତଳେ ଖାରବେଳନଗରରେ ଠାବ ହୋଇଥିଲା ସେକ୍ସ ରାକେଟ୍ । ଯେଉଁଥିରେ ପୁଲିସ୍ ଆଖି ଟେରା ହୋଇଯାଇଥିଲା । ଗଦା ହୋଇଥିଲା ପାସପୋର୍ଟ । ଉଦ୍ଧାର ହୋଇଥିଲେ ଥାଇଲ୍ୟାଣ୍ଡ ଯୁବତୀ । ଯାହାର ତଦନ୍ତ ଏବେବି ଜାରି ରହିଛି । ତେବେ ଥାଇଲ୍ୟାଣ୍ଡ ଯୁବତି ଏଠାକୁ କିଭଳି ଆସିଲେ? ତାଙ୍କୁ ଆଣିଲା କିଏ? ଏସବୁର ଉତ୍ତର ଖୋଜି ଖୋଜି ପୁଲିସ ବାୟା ହେଲାଣି । ସିଧା କହିବାକୁ ଗଲେ ସେକ୍ସ ର୍ୟାକେଟ୍ ସିନା ଠାବ କଲା ପୁଲିସ୍, କିନ୍ତୁ ମାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ଘଟଣାରେ ପୁଲିସ୍ ଭକୁଆ ବନେଇ ହରଦମ୍ ଚମ୍ପଟ୍ ମାରିଛନ୍ତି ମାଷ୍ଟରମାଇଣ୍ଡ୍ । ରିପୋର୍ଟ କହୁଛି ୨୦୧୬ରେ କମିଶନରେଟ ପୁଲିସ ମୋଟ୍ ଟ୍ୱିନ୍ସିଟିରେ ଚଢ଼ାଉ କରି ୩୮ଟି ସେକ୍ସ ରାକେଟ୍ ପର୍ଦ୍ଦାଫାସ କରିଥିଲା । ଯେଉଁଥିରେ ଶତାଧିକ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ଗିରଫ ବି ହୋଇଥିଲେ କର୍ମଚାରୀଙ୍କ ସମେତ ଅନେକ ଗ୍ରାହକ । ମାତ୍ର ୪ଟି ଘଟଣାରେ କୁଜି ବ୍ୟବସାୟୀଙ୍କୁ ଗିରଫ କରି ବାହାବାଃ ମାରିଥିଲା ପୁଲିସ । ଜୟଦେବିହାର ଛକରେ ଥିବା ଏକ ତାରକା ହୋଟେଲ୍ରୁ ହିଁ ଗୋଟିଏ ଘଟଣାରେ ପୁଲିସ ହାତରେ ଲାଗିଥିଲା ସେକ୍ସ ରାକେଟ୍ ବାଦସାହା କୁହାଯାଉଥିବା ସୁନିଲ ମେହେର୍ । ତେବେ ସୁନିଲ୍ ଅନେକ୍ ବାର ଭକୁଆ ବନାଇଛି କମିଶନରେଟ ପୁଲିସକୁ । ଏକଥା ଆମେ ନୁହେଁ ଖୋଦ୍ କମିଶନରେଟ ପୁଲିସର ରେକର୍ଡ କହୁଛି । ତେବେ ଏହାପରେ ଅର୍ଥାତ୍ ୨୦୧୭ରେ ମଧ୍ୟ ଅନେକ ସେକ୍ସ ରାକେଟ୍ ଠାବ ହୋଇଛି । ରାଜ୍ୟ କ’ଣ ଦେଶ ବାହାର ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । କିନ୍ତୁ କୌଣସି ଘଟଣାରେ ପୁଲିସ ମୁଖ୍ୟ କାର୍ପଟେଦାରକୁ ଠାବ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ପୁଲିସର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ହୋଇଛି ଭିତିରିଆ ବୁଝାମୁଣା ଯୋଗୁଁ ମାଷ୍ଟରମାଇଣ୍ଡ ଖସିଯାଉଥିବା ବେଳେ କେରାଣ୍ଡି ଧରି ବାହାବାଃ ମାରୁଛି ପୁଲିସ । ସେପଟେ ଉଦ୍ଧାର ଯୁବତୀଙ୍କ ଉପରେ ସେଭଳି କିଛି କେସ୍ ନହେଉଥିବା ଯୋଗୁଁ ସେମାନେ ବି ବେଶ ଆରାମରେ ୨/୪ଦିନରେ ବାହାରକୁ ଆସୁଛନ୍ତି । ଆଉ ପେଟପାଟଣା ଲାଗି ପୁଣି ସେମାନେ ନିଜର ପସରା ମେଲାଉଛନ୍ତି । ଫଳସ୍ୱରୂପ ସେକ୍ସ ର୍ୟାକେଟ୍ରେ ରୋକ ଲଗାଇବା ସମ୍ଭବ ହେଉନି ବୋଲି ପୁଲିସ ପକ୍ଷରୁ ସଫେଇ ଦିଆଯାଉଛି ।
କେମିତି ଚାଲିଛି ରାକେଟ୍
ମୁଖ୍ୟତଃ ରାକେଟ୍ ମାଷ୍ଟରମାଇଣ୍ଡମାନେ ରାଜ୍ୟ ବାହାରେ ରହି ଅପରେଟିଂ କରୁଛନ୍ତି । ଯାହାକୁ ସହର ମଧ୍ୟରେ କେତେକ କୁଜି ଚେଲା ମନିଟରିଂ କରୁଛନ୍ତି । ଯେତେବେଳେ ବି ପୁଲିସର ଛାପା ପଡୁଛି ସେତେବେଳେ ଏହି କୁଜି ବ୍ୟବସାୟୀମାନେ ହିଁ ଧରାପଡୁଛନ୍ତି । ତେବେ ସେମାନଙ୍କ ବୟାନକୁ ନେଇ ଯଦି ପୁଲିସ ତଦନ୍ତକୁ ଆହୁରି ଜୋରଦାର କରନ୍ତା ତେବେ ମାଷ୍ଟରମାଇଣ୍ଡକୁ ଗିରଫ କରିବାକୁ ପୁଲିସକୁ ବେଶି ସମୟ ଲାଗନ୍ତାନି । ହେଲେ ବିଡ଼ମ୍ବନାର ବିଷୟ ଏଥିପାଇଁ ବି ପୁଲିସ ସେତେଟା ଆନ୍ତରିକତା ଦେଖାଉନଥିବା ଜଣାପଡିଛି । ଫଳସ୍ୱରୂପ ଗଳିକନ୍ଦିରେ ଏବେ ବେଧଡ଼କ୍ ଚାଲିଛି ଏହି ବ୍ୟବସାୟ । ପରିସ୍ଥିତି ଏପରି ହୋଇଛି ଯେ, ଏହାର ନେଟୱାର୍କ ଏବେ ଥାଇଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ।
ଜ୍ୟୋତି, କାଳୁ ଓ ପାର୍ଥଙ୍କ ରାଜ୍
ସୁନିଲ ମେହେର୍କୁ ବାଦ୍ ଦେଲେ ଏବେ ତାହାସହ ଟକ୍କର ଦେବାକୁ ମଧ୍ୟ ଆଉ ୫ଜଣ ମାଷ୍ଟରମାଇଣ୍ଡ ରାଜଧାନୀରେ ସକ୍ରୀୟ ହୋଇଛନ୍ତି । ସେମାନେ ହେଲେ ଜ୍ୟୋତି, କାଳୁ, ପାର୍ଥ, ତୁଷାର ଓ ରାଜ୍ । ଏମାନେ କିଛି କମ୍ ନୁହନ୍ତି ସୁନିଲ ମେହେରଠୁ । ଏକ୍ସକର୍ଟ ସର୍ଭିସ୍ରେ ଏମାନେ ବହୁତ୍ ଧୁରନ୍ଦର । ଗୋଟିଏ ଫୋନ୍ କଲରେ ଘରେ ପହଞ୍ôଚଯାଉଛନ୍ତି ଯୁବତୀ । ଯଦିଓ ଏମାନଙ୍କୁ ଠାବ କରିବା ଲାଗି କିଛିଦିନ ତଳେ କ୍ୟୁଏଟି ଜୋରଦାର ପ୍ରୟାସ କରିଥିଲା, କିନ୍ତୁ ପରେ ଚୁପ୍ ରହିଥିଲା । ଯାହାପାଇଁ ଭୁବନେଶ୍ୱରରେ ରାଜ୍ଙ୍କ ରାଜ୍ ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି । କଟକରୋଡ୍, ବିଗ୍ବଜାର, ପାଣ୍ଟାଲୁନ୍ସ, ଲକ୍ଷ୍ମୀସାଗର ଓ ରାଜମହଲରେ ଏମାନେ ବେଶ୍ ସକ୍ରୀୟ । ଗୋଟିଏ ହୁଣ୍ଡାଇ ଭରନା ଓ ଆଉ ଏକ ଏକ ବ୍ରହ୍ମପୁର ନମ୍ବର ଥିବା ଇଣ୍ଡିକା କାର୍ରେ ହିଁ ଏହି ବ୍ୟବସାୟ ଜୋରଦାର ହେଉଥିବା ଘଟଣା ନଜରକୁ ଆସୁଛି ।
ପୁଲିସ ବି ଜଡ଼ିତ
ତଥା କଥିତ କେତେକ ପୁଲିସ କର୍ମଚାରୀ ବି ପୂରା ଘଟଣାରେ ଜଡ଼ିତ ରହୁଛନ୍ତି । ଯେଉଁଥି ପାଇଁକି କେତେବେଳେ ଓ କେଉଁ ସମୟରେ ରେଡ୍ ହେବ ସେନେଇ ପୂର୍ବରୁ ଏମାନେ ମାଷ୍ଟରମାଇଣ୍ଡକୁ ସୂଚନା ଦେଉଛନ୍ତି । ଯାହା ଏକ ପ୍ରମୁଖ କାରଣ ହୋଇଛି ପ୍ରତିଟି ଘଟଣାରେ ମାଷ୍ଟରମାଇଣ୍ଡ ଫେରାର ହୋଇଯିବା ନେଇ । ଏଥିପାଇଁ ଉକ୍ତ ପୁଲିସ ବାବୁମାନେ ମାସିକିଆ ବଟି ନେଉଥିବା ମଧ୍ୟ ମାଷ୍ଟରମାଇଣ୍ଡମାନେ ଆମକୁ ଜଣାଇଛନ୍ତି ।
ସମାନ ଦାୟୀ ଘର ମାଲିକ
ଅଧିକ ଟଙ୍କା ଲୋଭରେ ଏହି କାମକୁ ପ୍ରୋତ୍ସାହନ ଦଉଛନ୍ତି ଘର ମାଲିକ । ବିନା କୌଣସି ଯାଞ୍ଚରେ ଘର ଭଡ଼ା ଦିଆଯାଉଛି । ଭିତରେ କି କାରବାର ହେଉଛି, ଏହାଠୁ ବହୁତ ଦୂରରେ ରହୁଛନ୍ତି ଘର ମାଲିକମାନେ । ଯାହାକୁ ରୋକ୍ ଲଗାଇବା ପାଇଁ ମଝିରେ କମିଶନରେଟ୍ ପୁଲିସ୍ କେତୋଟି ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିଲା । ଯାହାର କାଣିଚାଏ ବି ପାଳନ ହେଉନି । ଫଳରେ ବେଫିକର ଘର ମାଲିକ ।