ଗତ କିଛିଦିନ ହେବ କଙ୍ଗନା ରାଣାୱତଙ୍କ ସହ ଲଭ ଆଫେର୍ୟାସକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡ ଆକ୍ସନଷ୍ଟାର ହ୍ରିତ୍ୱିକ ରୋଶନ୍ ଏବେ ପୁଣି ଥରେ ଚର୍ଚ୍ଚାରେ । ଚର୍ଚ୍ଚାର ବିଷୟବସ୍ତୁ ହେଉଛି ‘କ୍ରିସ’ ଫିଲ୍ମରେ ପିନ୍ଧିଥିବା ସୁପରହିରୋ ଜ୍ୟାକେଟକୁ ସେ ନିଲାମ କରିବାକୁ ଚାହୁଁଛନ୍ତି ।
ଏକଥା ଟ୍ୱିଟର ଜରିଆରେ ସେ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ୟା ପଛରେ ତାଙ୍କର ଏକ ମହତ ଉଦ୍ଦେଶ୍ୟ ମଧ୍ୟ ରହିଛି । ତାହା ହେଉଛି ନିଲାମର ସବୁ ଅର୍ଥକୁ ସେ ପଶୁମାନଙ୍କ ମଙ୍ଗଳ କାର୍ଯ୍ୟରେ ବିନିଯୋଗ କରିବେ । ଜୁନ୍ ୧ରୁ ଏହି ନିଲାମ saltscout.com ଜରିଆରେ ହେବ ।
ହ୍ରିତ୍ୱିକ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସୁପର ୩୦’ର ସୁଟିଂକୁ ନେଇ ବ୍ୟସ୍ତ ରହୁଛନ୍ତି । ଫିଲ୍ମଟି ଆନନ୍ଦ କୁମାରଙ୍କ ଉପରେ ପର୍ଯ୍ୟବେସିତ । ଆନନ୍ଦ କୁମାର ହେଉଛନ୍ତି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଭଗବାନ ସଦୃଶ ଯେଉଁମାନେ ଅର୍ଥ ଅଭାବରେ ପାଠ ପଢ଼ିବାକୁ ଅସମର୍ଥ ହେଉଛନ୍ତି । ସେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ।
ନିର୍ଦ୍ଦେଶକ ବିକାଶ ବହଲଙ୍କ ଏହି ଫିଲ୍ମଟି ୨୫ ଜାନୁୟାରୀ, ୨୦୧୯ରେ ରିଲିଜ୍ ହେବାକୁ ସି୍ଥର ହୋଇଛି । ହ୍ରିତ୍ୱିକଙ୍କ ସମେତ ମୃଣାଳ ଠାକୁର ମଧ୍ୟ ଲିଡ ରୋଲରେ ଅଛନ୍ତି ।