ଭୁବନେଶ୍ୱର,୬ା୨/(ବ୍ୟୁରୋ): ଯେତେବେଳେ ଫୋନ୍ କଲେ ରିଂ ହୋଇ କଟିବା ଥୟ । ବାବୁ ଫୋନ୍ ଉଠାଇବେ ନାହିଁ । ଆଜିକାଲି ନୁହେଁ କମିଶନରେଟ୍ରେ ଯୋଗ ଦେବା ଦିନଠୁ ହିଁ ଥାନା ଅଧିକାରୀ ଫୋନ୍ ଉଠାଇବାକୁ କୁନ୍ଥକୁନ୍ଥ । କୌଣସି ଜରୁରୀ ସୂଚନା ପାଇବା ହେଉ ଅବା ଦେବାକୁ ଚାହୁଁଥିବା ବ୍ୟକ୍ତି ଯଦି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରେ ତେବେ ନିରାଶ ହେବା ଛଡା ତାଙ୍କର କୌଣସି ଉପାୟ ନାହିଁ । ଆମେ କହୁଛୁ ଖଣ୍ଡଗିରି ଥାନା ଅଧିକାରୀଙ୍କ ବିଷୟରେ ।
ତେବେ ଫୋନ୍ ନଉଠାଇବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ବେଶ୍ ଚାଲାକର ସହ ଉତ୍ତର ଦେଇଛନ୍ତି ଥାନା ଅଧିକାରୀ । ଖଣ୍ଡଗିରି ମେଳାର ଯାତ୍ରାକୁ ଢ଼ାଲ କରି କଥାକୁ ଏଡାଇଯାଇଛନ୍ତି । ପାସ୍ ପାଇବା ଲାଗି ଫୋନ୍ କରି କରି ନାକେଦମ୍ କରୁଥିବା କହି ଫୋନ୍ ଉଠାଉନଥିବା ଅତି ହାଲକାର ସହ ଜଣାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଆଇନ୍ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନାଁ ପାସ୍ କିଏ ପାଇବ କେତେଟା ପାଇବ ସେ ସମ୍ପର୍କରେ ହିସାବ ରଖିବାକୁ ଡ୍ୟୁଟି କରୁଛନ୍ତି ଥାନା ବାବୁ । ସେପଟେ ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି
ପୂର୍ବରୁ ମଧ୍ୟ ଅନେକ ଥାନା ଅଧିକାରୀଙ୍କ ସମ୍ପର୍କରେ ଏମିତି ଅଭିଯୋଗ ଉଠିବା ପରେ ଖୋଦ୍ ପୂର୍ବତନ ପୁଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତି ଥାନା ଅଧିକାରୀଙ୍କୁ ସିୟୁଜି ନମ୍ବର ଯୋଗାଇ ଦେଇଥିଲେ । ଯାହା ଏକ ପ୍ରକାର ବାଟବଣା ହେଲାଣି । ହାତଗଣତୀ କେଇଜଣଙ୍କୁ ଛାଡିଦେଲେ ବାକି ସବୁ ଥାନା ଅଧିକାରୀ ସିୟୁଜି ନମ୍ବରଠୁ ବହୁ ଦୂରରେ ରହୁଛନ୍ତି । ୮୨୮୦୩୩୮୩୧୫- ଏ ହେଉଛି ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ନମ୍ବର । କେବଳ ଆଇଆଇସି ନୁହନ୍ତି ଏସିପିଙ୍କୁ ମଧ୍ୟ ଯୋଗାଇ ଦିଆଇଥିବା ନମ୍ବର ୮୨୮୦୩୩୮୨୯୩ ସବୁବେଳେ ବନ୍ଦ ରହୁଛି । ସମସ୍ୟା ଆଜିକାର ନୁହଁ ନମ୍ବର ପାଇବାର ଦିନ କେଇଟା ପରେ ଥାନା ବାବୁ ହୁଅନ୍ତୁ ଅବା ଏସିପି ନମ୍ବର କାଢ଼ି ଫିଙ୍ଗି ଦେଇଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ପରି ସବୁ ଥାନାର ଅବସ୍ଥା ସମାନ ।
ଏପଟେ ପୁଣି ସର୍ବସାଧାରଣଙ୍କ ଜାଣତ ଲାଗି ଥିବା ୱେବ୍ସାଇଟ୍ରେ ଥାନା ବାବୁ ଓ ଏସିପିଙ୍କୁ ଯୋଗାଯୋଗ କରିବାକୁ ସେହି ସିୟୁଜି ନମ୍ବର ହିଁ ଦିଆଯାଇଛି । ବିଡ଼ମ୍ବନାର ବିଷୟ କୌଣସି ନମ୍ବର ବି ଲାଗୁନାହିଁ । ଏହା ଉପରେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ସହରବାସୀ ଅନୁରୋଧ କରିଛନ୍ତି ।