ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କୋମାରେ କ୍ରାଇମବ୍ରାଁଚ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଗତ କିଛିଦିନର ଘଟଣାବଳୀ ଏହାର ପ୍ରମାଣ ଦେଉଛି । କ୍ରାଇମବ୍ରାଁଚ ଏବେ ସରକାରୀ କଳର ସୁରକ୍ଷା କବଚ ସାଜିଛି । ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତରେ ଅହେତୁକ ଶୀଥିଳତା ହିଁ ଏହାର ସବୁଠୁ ବଡ଼ ପ୍ରମାଣ । ସେ ମୋତିଲାଲ ଗୌଡ଼ ମାମଲା ହେଉ କି’ ଗଣଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିରେ ଘୋଟାଲା । କେବଳ ଏତିକି ନୁହେଁ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ବି ଏକ ପ୍ରକାର ଫେଲ ମାରି ଘରକୁ ଫେରିଛି କ୍ରାଇମବ୍ରାଁଚ । ରେକର୍ଡ କହୁଛି ପାଖାପାଖି ଏମିତି ୮ଟି ମାମଲାରେ ଫେଲ ମାରିଛି କ୍ରାଇମବ୍ରାଁଚ ।
ସିଧା କହିବାକୁ ଗଲେ ଅଭିଯୁକ୍ତମାନଙ୍କୁ କିଭଳି କ୍ରାଇମବ୍ରାଁଚ ସୁରକ୍ଷା ଦେଇ ଚାଲିଛି ତାହା ଏବେ ପଦାକୁ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାରଙ୍କୁ ଠକି ଟେଣ୍ଡର ହାତେଇ ଥିବା ପଶ୍ଚିମ ଓଡ଼ିଶାର ଠିକା ସଂସ୍ଥା ସୁରଜ ଏଁଟରପ୍ରାଇଜେସ ଓ ଏହାର ଏମଡି ବଁଟି ଅଗ୍ରୱାଲଙ୍କ ବଡ଼ ଧରଣର ଘୋଟାଲାର ପର୍ଦ୍ଦାଫାସ କରିବ କ’ଣ ଓଲଟି କ୍ରାଇମବ୍ରାଁଚ ଦରଦ ଦେଖାଉଥିବା ସୂଚନା ମିଳିଛି । ପୂର୍ତ ବିଭାଗର ଯନ୍ତ୍ରୀମାନଙ୍କୁ ଜେରା କରିବା ବଦଳରେ କ୍ରାଇମବ୍ରାଁଚ କାହିଁକି କେଜାଣି ତଦନ୍ତ ପ୍ରକ୍ରିୟାରୁ ଦୂରେଇ ରହିଛି । ୨୦୧୭ ନଭେମ୍ବର ୧୫ ତାରିଖରେ ମାମଲା କ୍ରାଇମବ୍ରାଁଚ ନେଇଥିଲା । ଏଥିପାଇଁ ତଦନ୍ତକାରୀ ଟିମ ଗଠନ ହୋଇଥିଲେ ମଧ୍ୟ କାହିଁକି ତଦନ୍ତ ହେଲାନାହିଁ ତାହା ଏବେ ବଡ଼ ପ୍ରଶ୍ନ । ସୂତ୍ର କହୁଛି ଅର୍ଥନୈତିକ ଅପରାଧ ଶାଖାର କୌଣସି ଅଧିକାରୀ ବଲାଙ୍ଗିର ଯାଇ ଜେରା କରିନାହାନ୍ତି ।
ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏଯାବତ ସ୍କାନରକୁ ଅଣାଯାଇନାହିଁ । ଏମିତିକି ସେମାନଙ୍କୁ ନୋଟିସ ଖଣ୍ଡେ କରିବାକୁ ମଧ୍ୟ କୁନ୍ଥକୁନ୍ଥ ହୋଇଛି କ୍ରାଇମବ୍ରାଁଚ । ତେଣୁ କ୍ରାଇମବ୍ରାଁଚର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । ସରକାରଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇଥିବା ଏହି କମ୍ପାନୀ ପାଇଁ କାହିଁକି ଏତେ ଅନୁକମ୍ପା ତାକୁ ନେଇ ଜୋରଦାର ଚର୍ଚ୍ଚା । ବଲାଙ୍ଗିର ଓ ନୂଆପଡ଼ା ପୁଲିସ ଜେରା କରିଥିଲେ ମଧ୍ୟ କ୍ରାଇମବ୍ରାଁଚ ଆଜି ସୁଦ୍ଧା ଜଣେ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇନାହିଁ କିମ୍ବା ଜେରା ବି କରିନାହିଁ । ମୋତିଲାଲ ଗିରଫ ହେବାପରେ ତଦନ୍ତ ସେଇଠି ଅଟକି ରହିଛି । ଆଉ ଏକ ବିଡ଼ମ୍ବନାର ବିଷୟ ନକଲି ଶିକ୍ଷକ ନିଯୁକ୍ତିରେ କ୍ରାଇମବ୍ରାଁଚ କାହିଁକି କେଜାଣି ରହସ୍ୟଜନକ ନିରବତା ଅବଲମ୍ବନ କରିଛି । ତଦନ୍ତର ୮ ମାସ ଭିତରେ କ୍ରାଇମବ୍ରାଁଚ ଗୋଟିଏ ବି ମାମଲାରେ ସଫଳତା ପାଇନାହିଁ । ତଦନ୍ତ ତ ଦୂରର କଥା ଆଜି ଯାଏ ତଦନ୍ତକାରୀ ଅଫିସର ନକଲି ଶିକ୍ଷକ ମାମଲା ନେଇ ଘରୋଇ ସଂସ୍ଥାକୁ ନୋଟିସ ବି ଜାରି କରିନଥିବା ଜଣାପଡିଛି । ଶୁଣିବାକୁ ମିଳୁଛି ଏହି ନକଲି କାରବାରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଘରୋଇ ସଂସ୍ଥାର ଅଧିକାରୀ କିମ୍ବା ସଂସ୍ଥା ମୁଖ୍ୟଙ୍କୁ କ୍ରାଇମବ୍ରାଁଚ ରୀତିମତ ସୁରକ୍ଷା ଦେଇ ଚାଲିଛି ।
ସମ୍ପୃକ୍ତ ସଂସ୍ଥା ସରକାରୀସ୍ତରରେ ମାମଲାକୁ ଚପାଇ ଦେବାକୁ ମଧ୍ୟ ସମର୍ଥ ହୋଇଛି । ‘ଡିଲିଜେନସ ଲର୍ଣ୍ଣିଂ ଫୋକସ ସୋସାଇଟି’ (ଡିଏଲଏଫଏସ) ନାମକ ଏହି ସଂସ୍ଥାର କାରବାର ନେଇ କ୍ରାଇମବ୍ରାଁଚ ପ୍ରାଥମିକ ତଦନ୍ତ ମଧ୍ୟ କରିନଥିବା ଜଣାପଡ଼ିଛି । ଏବେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଣି ସେହି ଅବସ୍ଥାର ପୁନରାବୃତି ହୋଇଛି । ପ୍ର୍ରାଥମିକ ତଦନ୍ତ ପରେ ଚୁପ ବସିଛି କ୍ରାଇମବ୍ରାଁଚ ଏସଟିଏଫ । ଅର୍ଥନୈତିକ ଅପରାଧ ଶାଖା ଓ ଏସଟିଏଫ ତଦନ୍ତ ଆଳରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଁଚର ତଦନ୍ତ ଫଳ ଏବେ ଶୂନ । ପୂରା ଘଟଣାକୁ ଦେଖିଲେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଅପରାଧ ତଦନ୍ତ ଶାଖା କ୍ରାଇମବ୍ରାଁଚ ଦାୟିତ୍ୱରେ ଥିବା ସର୍ବୋଚ୍ଚ ଅଧିକାରୀମାନଙ୍କ ଦକ୍ଷତା ଓ ପାରଦର୍ଶିତାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।