ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ବିବାଦରେ ପୂର୍ତ ବିଭାଗ । ଯେଉଁ ସଂସ୍ଥାକୁ ବ୍ଲାକଲିଷ୍ଟ କରାଯାଇଛି ତାକୁ ଦେଖାଇଛି ଅହେତୁକ ଅନୁକମ୍ପା । ଏକଦମ ବେଫିକର ହୋଇ ବିଭାଗ ମାଡିମୋକଚି ଅଳିଆ ଗଦାରେ ପକାଇ ଦେଇଛି ସବୁ ସରକାରୀ ଆଇନକାନୁନକୁ । ଲୋକଙ୍କ ଜୀବନ ପାଣି ଫୋଟକାରୁ ବି ହୀନ ବୋଲି ପ୍ରମାଣ କରିଛି ବିଭାଗ । ଯାହାକୁ ନେଇ ଏବେ ସବୁଠି ଅସନ୍ତୋଷ । ଆମେ କହୁଛୁ ବୋମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣା । ଯେଉଁ ପଣ୍ଡା ଇନଫ୍ରାଷ୍ଟ୍ରକଚରକୁ ସରକାର ବ୍ଲାକଲିଷ୍ଟ କଲେ ତାକୁ ପୁଣି କାମ କରିବାକୁ ଅନୁମତି ମିଳିଛି । ଯାହା ପୂର୍ତ ବିଭାଗର କାରସାଦିକୁ ପଦାରେ ପକାଇଛି ।
ଏହା ପଛରେ ମୁଖ୍ୟ କାର୍ପଟଦାର କିଏ ତାକୁ ନେଇ ଉଠିଛି ପ୍ରଶ୍ନ? କେବଳ ଏତିକି ନୁହେଁ ଏହାପଛରେ ମୋଟା ଅଙ୍କର ଡିଲ ହୋଇଥିବା ମଧ୍ୟ ଗନ୍ଧ ଆସୁଛି । ଜଣେ ମୁଖ୍ୟଯନ୍ତ୍ରୀ ପୂରା ଘଟଣା ପଛରେ ମାଷ୍ଟରମାଇଣ୍ଡ ଥିବା ଶୁଣିବାକୁ ମିଳୁଛି । ୨୦୧୭ ଅଗଷ୍ଟ ୧୦ ତାରିଖ । ଓଭରବବ୍ରିଜ ଭୁଷୁଡି ଜଣଙ୍କ ଜୀବନ ଯିବା ସହ ଏକାଧିକ ଆହତ ହେଲେ । ଘଟଣାଟି ପୂରା ରାଜ୍ୟରେ ହଇଚଇ ହେବା ପରେ ପଣ୍ଡା ଇନଫ୍ରାକୁ ସରକାର ବ୍ଲାକଲିଷ୍ଟ କଲେ । ଅକ୍ଟୋବର ୧୦ ତାରିଖ ଚିଠି ନମ୍ବର ୧୪୬୨୧ ଏହାର ପ୍ରମାଣ । କିନ୍ତୁ ବିଡ଼ମ୍ବନାର ବିଷୟ ଯନ୍ତ୍ରୀ ମୁଖ୍ୟ(ସିଭିଲ)ଙ୍କ କାର୍ଯ୍ୟାଳୟ ତାଙ୍କ ଚିଠି ନମ୍ବର ୪୭୨୯୨ରେ ଗତ ୨୦୧୭ ଡିସେମ୍ବର ୧୨ତାରିଖରେ ପଣ୍ଡା ଇନଫ୍ରାକୁ ବ୍ଲାକଲିଷ୍ଟ କରାଯାଇଥିବା ନେଇ ନିର୍ଦ୍ଦେଶାନାମା ପ୍ରକାଶ କଲେ । ଏଠି ପ୍ରଶ୍ନ କାହିଁକି ଓ କାହା ସ୍ୱାର୍ଥରେ ସରକାର ନିର୍ଦ୍ଦେଶ ଦେବାର ୨ମାସ ପର୍ଯ୍ୟନ୍ତ ପଣ୍ଡା ଇନଫ୍ରାକୁ କାମ କରିବାକୁ ସୁଯୋଗ ମିଳିଲା? ଆଇନ କହୁଛି ବ୍ଲାକଲିଷ୍ଟ ହୋଇଥିବା ସଂସ୍ଥା ଯେଉଁ ପ୍ରକଳ୍ପ ଲାଗି ଦୋଷୀ ସାବ୍ୟସ୍ତ ହେବେ ସେହି ପ୍ରକଳ୍ପ ବ୍ୟତିତ ଅନ୍ୟ କୌଣସି ପ୍ରକଳ୍ପରେ ହାତ ମାରିବେ ନାହିଁ ।
ସରକାରଙ୍କ ସହ ସମ୍ପୃକ୍ତ ସଂସ୍ଥାର କୌଣସି ବ୍ୟବସାୟିକ ନେଣଦେଣ ମଧ୍ୟ ରହିବ ନାହିଁ । କିନ୍ତୁ ପଣ୍ଡା ଇନଫ୍ରା କ୍ଷେତ୍ରରେ ଏହାର ଓଲଟା ଦେଖିବାକୁ ମିଳିଛି । ୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସୁଯୋଗ ଦିଆଯାଇଛି । ୫ଟି ପ୍ରକଳ୍ପ ମଧ୍ୟରୁ କୌଣସି ଗୋଟିଏ ବି ସମ୍ପୂର୍ଣ୍ଣ ହୋଇନାହିଁ । ୨୦୧୨ ମେ’ ୨୮ରେ ଲିଙ୍ଗରାଜ ଲେବଲ କ୍ରସିଂ ଓଭରବ୍ରିଜ ୨୦୧୪ ମେ’ ରେ ଶେଷ ହେବା କଥା ଯାହା ଏଯାବତ ସରିନି । ସେହିପରି ୨୦୧୪ରେ ଆରମ୍ଭ ହୋଇଥିବା ଜଟଣୀ ଷ୍ଟେସନ ଓଭରବ୍ରିଜ କାମ ତ’ ସରିବାର ନା ଧରୁନି । ବିବାଦୀୟ ହୋଇ ଏହି ଘଟଣା ଏବେ ଭିଜିଲାନ୍ସରେ ପହଁଚିଛି । ୨ଟି ଘଟଣାରେ ବରଂ ଅବଧି ବଢ଼ାଇ ଦିଆଯାଇଛି । ବମିଖାଲ ଓଭରବ୍ରିଜ ତ’ ୨୦୧୨ରୁ ଆରମ୍ଭ ହୋଇ ୨୦୧୪ରେ ଶେଷ ହେବା କଥା । ହେଲେ ଏହାପାଇଁ ଲୋକଙ୍କ ଜୀବନ ସିନା ଗଲା କିନ୍ତୁ ଅନୁକମ୍ପା ଦେଖାଇ ବରଂ ଅବଧି ବଢ଼ାଇ ଦିଆଗଲା ।
ହେଲେ ର୍ଦୁଭାଗ୍ୟ ତଥାପି କାମ ସରିଲାନାହିଁ । ସମ୍ବଲପୁର ଓଭରବ୍ରିଜ ୨୦୧୬ରୁ ସରିବା କଥା ଯାହା ଏଯାବତ ଚାଲିଛି । ସେପଟେ ବମିଖାଲ ଓଭରବ୍ରିଜ ପରି ଅନ୍ୟ କେତେକ ବ୍ରିଜ ଭୁଷୁଡିବା ଘଟଶଣାରେ ଗଠିତ କମିଟି ମୁଖ୍ୟଭାବେ ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ଡିପିଆଇ ଓମପ୍ରକାଶ ପଟେଲଙ୍କ ଭୁମିକାକୁ ନେଇ ଉଠିଛି ପ୍ରଶ୍ନ । ଜାତମୁଣ୍ଡିଆ ପୋଲ ଭୁଷୁଡିବାଠୁ ନେଇ ଗୁରୁପ୍ରୀୟା ସେତୁ ଭୁଷୁଡିବା ପର୍ଯ୍ୟନ୍ତ କୌଣସି ଘଟଣାରେ ରିପୋର୍ଟ ଦେବାରେ ଅସମର୍ଥ ଏହି ଅଧିକାରୀ ଗଠନ ହୋଇଥିବା ତଦନ୍ତ କମିଟିରେ ରହିଲେ ତାହା ସବୁଠୁ ବଡ଼ ପ୍ରଶ୍ନ । କାରଣ ୧୯୯୫ରେ ସେ ଭଜିଲାନ୍ସ ଜାଲରେ ପଡି ନିଜର କଳାକାରସାଦୀକୁ ପଦାରେ ପକାଇଛନ୍ତି । ଏ ତମାମ ଘଟଣାକୁ ଦେଖିଲେ ଏଭଳି ଜଣେ ଅଧିକାରୀ ତଦନ୍ତ କମିଟିରେ ରହି ପଣ୍ଡା ଇନଫ୍ରା ଭଳି ବ୍ଲାକଲିଷ୍ଟ ସଂସ୍ଥାକୁ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଟେକିଦେଲେ ତାହା ନିହାତି ଭାବେ ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।