ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦୀର୍ଘ ୨ମାସର ଖୋଳତାଡ ପରେ ଶେଷରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ମିଳିଛି ସଫଳତା । ନିଖୋଜ ଥିବା ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ନିଖୋଜ ହେବା ପରେ ପୂରା ପରିବାର ଲୋକ ହତାଶ ହୋଇ ପଡିଥିଲେ । ଉପାୟଶୂନ୍ୟ ହୋଇ ଶେଷରେ ପୁଲିସର ସହଯୋଗ ଲୋଡିଥିଲେ ।
ଅଭିଯୋଗ ପାଇବା ପରେ ଆଦୌ ଢ଼ିଲା ମାରିନଥିଲା ପୁଲିସ । ଆରମ୍ଭ କରିଥିଲା ନାବାଳିକାକୁ ଉଦ୍ଧାର କରିବାର ଅପରେସନ । ଖୋଳତାଡରେ ଏକ ରୋଚକ ତଥ୍ୟ ପଦାକୁ ଆସିଥିଲା । ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ନିଖୋଜ ନୁହେଁ ବରଂ ତାକୁ ପଡୋଶୀରେ ରହୁଥିବା ଜଣେ ଯୁବକ ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲା ପୁଲିସ । ବାସ ଏହାପରେ ପୁଲିସ ମୋବାଇଲ ନମ୍ବର ଟ୍ରାକିଂ କରି ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି ।
ରିପୋର୍ଟ ଅନୁସାରେ, ଦେବପ୍ରତାପ କଲୋନୀରେ ରହୁଥିବା ନାବାଳିକାକୁ ସେହି କଲୋନୀର ଶିବୁ ପ୍ରଧାନ ନାମକ ଯୁବକ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇଯାଇଥିଲା । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ନାବାଳିକାକୁ ନେଇ ଶିବୁ ରାଜ୍ୟ ବାହାରକୁ ଚାଲିଯାଇଥିଲା । ଏନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଭୁବନେଶ୍ୱରରୁ ନାବାଳିକା ଉଦ୍ଧାର ହୋଇଥିବା ବେଳେ ତାଙ୍କ ପରିବାରରେ ଏବେ ଖୁସିର ଲହରି ଖେଳିଯାଇଛି ।