ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଉ ଅଲଗା ବେଳେ ଛୁଟିଦିନ । ବଡବଡ଼ିଆଙ୍କର ଆଦୌଁ ଦେଖା ମିଳିବନି । ପଚାରିଲେ ପିଏସଓ କହିବେ ଛୁଟିଦିନ ପରା ଆଜି । ବାବୁ କ’ଣ ଅଫିସ ଆସିବେ । ଯାହା ହେବ କାଲି ହେବ । ହେଲେ ଆଉ ସେମିତି ନାହିଁ । ଏବେ ଏଥିରେ ଢ଼େର ସୁଧାର ଆସିଛି । ଛୁଟି ଦିନରେ ବି କାମ କରୁଛନ୍ତି ଆମ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ । ଏମିତି ସେମିତି କାମ ନୁହେଁ ବରଂ ଚିଠି ଲେଖିବାର କାମ । ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥିଲେ ବି କଥାଟା ଏକଦମ ସତ । ଛୁଟିଦିନରେ ପୁଲିସ ଚିଠି ଲେଖିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଫିସ ଅର୍ଡର ନମ୍ବର ୪୯୯ ଏହାର ଏକ ଜ୍ୱଳନ୍ତ ଉଦାହାରଣ ।
ଭଲ ଭାବେ ନଜର ପକାନ୍ତୁ ଉପରୋକ୍ତ ଚିଠିଟାକୁ । ଯାହା ଓଡିଶା ପୁଲିସ ବିଭାଗ ପକ୍ଷରୁ ଜାରି କରାଯାଇଛି । ଆଇଜି(ପରର୍ସନାଲ) ଏଥିରେ ହାତକାଟି ଦସ୍ତଖତ ମଧ୍ୟ କରିଛନ୍ତି । ଶୁଣିବାକୁ ମିଳୁଛି ଦସ୍ତଖତ କରିବା ସମୟରେ ଆଇଜି ସାହେବ ବୋଧେ ଉପରୋକ୍ତ ତାରିଖ ବାବଦରେ ଭୁଲିଯାଇଛନ୍ତି । ତାରିଖ ଅନୁସାରେ ଦିନଟି ରବିବାର ଅର୍ଥାତ ଛୁଟିଦିନ ରହୁଛି । ଏଠି ପ୍ରଶ୍ନ ଛୁଟିଦିନରେ ଏହି ଲେଟର ଇସ୍ୟୁ ହେଲା କିପରି? ଏମିତି କ’ଣ ଇମରଜେନ୍ସି ପଡିଗଲା? ସବୁଠୁ ବଡ଼ କଥା ହେଉଛି ଏହି ଅର୍ଡର କୌଣସି ଯୁଦ୍ଧ ସମ୍ବନ୍ଧୀୟ କିମ୍ବା ଜରୁରୀ କାଳୀନ ସମୟରେ ପ୍ରକାଶ କରାଯାଇନାହିଁ । ବରଂ ଥାନା ଅଫିସରଙ୍କ ବଦଳି ଅର୍ଡର ସମ୍ବନ୍ଧରେ ଜାରି କରାଯାଇଛି ।
ଛୁଟିଦିନରେ ଓ ରାତାରାତି ଏପରି ଅର୍ଡର ବାହରିବା ଘଟଣା କେଉଁଠି ନା’ କେଉଁଠି ପୁଲିସ ବିଭାଗର ସ୍ୱଚ୍ଛତା ଉପରେ କଳାଦାଗ ଲଗାଇଛି । ଏଠାରେ ସୂଚନାଯୋଗ୍ୟ, ବଡ଼ବଜାର ଥାନା ଅଧିକାରୀଙ୍କ ମନମାନି ଓ ଲୋକଙ୍କ ଅସନ୍ତୋଷକୁ ନେଇ ଲଗାତାର ଏଟିଆର ଖବର ପ୍ରକାଶ କରିବା ପରେ ଘଟଣା ସମ୍ପର୍କରେ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା । ଆଇଆଇସି ଗାଦି ଛାଡିବା ସୁନିଶ୍ଚିତ ବୋଲି ଡିଜି ଏକପ୍ରକାର ସୂଚନା ଦେବା ସହ ଗତ ୨୩ତାରିଖରେ ଏକ ନୋଟିସ ମଧ୍ୟ ଜାରି କରିଥିଲେ । ୩୦ତାରିଖ ଶେଷ ସମୟ ଥିବା ବେଳେ ଡିଜିଙ୍କ ଅର୍ଡରକୁ ବି ଖାତିର କରିନଥିଲେ ବଡ଼ବଜାର ଥାନା ଅଧିକାରୀ । ଏନେଇ ୩ତାରିଖରେ ପୂନ୍ନବାର ଏଟିଆରରେ ଖବର ପ୍ରକାଶ ପାଇବା ପରେ ତରବରିଆ ଭାବେ ଏହି ଚିଠି ଇସ୍ୟୁ କରାଯାଇଥିବା ଜଣାପଡିଛି । ଏଠି ପ୍ରଶ୍ନ ଯେଉଁ ଥାନା ଅଧିକାରୀଙ୍କୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଏବଂ ସେହି ଆଇଆଇସି ରହିବା ଦିନଠୁ ତାଙ୍କଦ୍ୱାରା ଖଡ଼ାଟେ ବି ସିଝିନାହିଁ । ତାଙ୍କୁ ଏତେ ଅନୁକମ୍ପା କ’ଣ ପାଇଁ? ଏ ପ୍ରଶ୍ନ ଆମର ନୁହେଁ ବରଂ ସାଧାରଣ ଲୋକଙ୍କର ।
ଯଦି ଏଭଳି ଜଣେ ଆଇଆଇସିଙ୍କ ପାଇଁ ବରିଷ୍ଠ ଅଧିକାରୀ ଛୁଟିଦିନରେ ବି ଚିଠି ଲେଖି ପାରୁଛନ୍ତି ତେବେ ଏହା ପଛରେ ଉଦ୍ଦେଶ୍ୟ କ’ଣ ଥାଇପାରେ? ମୋଟା ଅଙ୍କର କାରବାର ନୁହେଁ ତ? ସେପଟେ ଯଦି ବରିଷ୍ଠ ଅଧିକାରୀମାନେ ଛୁଟିଦିନରେ ଏଭଳି ସଜାଗ ରହି ପ୍ରତ୍ୟେକ ଘଟଣାର ଦେଖାଶୁଣା କରନ୍ତେ ତେବେ ଆଇନକାନୁନରେ ଯଥେଷ୍ଟ ପରିବର୍ତ୍ତନ ହୋଇଯାଆନ୍ତା ବୋଲି ମତ ପ୍ରକାଶ ପାଇଛି । ଶୁଣିବାକୁ ମିଳୁଛି ଜଣେ ବରିଷ୍ଠ ଅଧିକାରୀଙ୍କୁ ତେଲ ମାରିବା ସହ ମୋଟା ଅଙ୍କର ଭାଗବଣ୍ଟାରେ ସମ୍ପୃକ୍ତ ଆଇଆଇସି ଭାଗିଦାର ଥିବାରୁ ତାଙ୍କୁ ସେହି ସ୍ଥାନରେ ରଖିବାକୁ ଖୋଦ ବରିଷ୍ଠ ଅଧିକାରୀ ଜଣକ ବେଶ ଲବି କରିଛନ୍ତି । ତେବେ ସେ ଯାହାହେଉ ଆଇଆଇସିଙ୍କ ଉତ୍ପାତରେ ଲୋକେ ଏବେ ଥରହର ହେଉଥିବା ବେଳେ ଅଏସ କରୁଛନ୍ତି ନକଲି ଗୁଟଖା ବ୍ୟବସାୟୀ ଓ ବେଟିଂ ଲଗାଉଥିବା ଦଲାଲମାନେ । ଯେଉଁମାନଙ୍କ ସୁରକ୍ଷା କବଚ ସାଜିଛନ୍ତି ଏବେ ଥାନା ଅଧିକାରୀ । ସେପଟେ ବଦଳି ଅର୍ଡର କ୍ୟାନସଲ ପରେ ବାବୁଙ୍କ ଛାତି ଆଉ ଟିକେ ଚଉଡା ହୋଇଯାଇଛି । ଯାହାପାଇଁ ସେ ଏବେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ।ଘଣ୍ଟଘୋଡାଉଥିବା ବରିଷ୍ଠ ଅଧିକାରୀ ଭୁଲିଯାଉଛନ୍ତି ସେହି ଆଇଆଇସିଙ୍କ ଲାଗି ସାଧାରଣ ଲୋକେ ଏବେ ତାଙ୍କୁ ନାପସନ୍ଦ କରିବା ଆରମ୍ଭ କରିଥିବା ବେଳେ ପୂରା ପୁଲିସ ବିଭାଗ ଏଥିପାଇଁ ବଦନାମ ହେବାକୁ ବସିଲାଣି । ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଅନୁରୋଧ କରିଛନ୍ତି ।
ତେବେ ଏଟିଆର କିନ୍ତୁ ତା’ର ଅଭିଯାନ ଜାରି ରଖିଛି । ଏଠାରେ ସୂଚନାଯୋଗ୍ୟ, ହଜାର ହଜାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଆଇଆଇସିଙ୍କ ପର୍ଦ୍ଦାଫାସ କରିବା ଲାଗି ଅଭିଯାନ ଆରମ୍ଭ କରିଛି ଏଟିଆର । ଏହାମଧ୍ୟରେ ବହୁ ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡିଛି ପୂରା ଟିମକୁ । କେତେବେଳେ ଖବର ଚପାଇବାକୁ ଲାଞ୍ଚ ତ’ ପୁଣି କେତେବେଳେ ମିଳିଛି ଧମକ । ତେବେ ନିଜ ମିଶନ ଓ ପ୍ରତିଜ୍ଞାରୁ କେବେ ବି ଓହରି ଯାଇନି ଏଟିଆର । କି ଓହରି ବି ଯିବନି ଏହି ଲଢ଼େଇରୁ । ଏହି ପ୍ରତିଶ୍ରୁତି ଏଟିଆରର
(ରିପୋର୍ଟ: ପ୍ରଶାନ୍ତ ମିଶ୍ର/ ନବୀନ ରାଜ ଆଚାରୀ)