ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରେମ ପାଇଁ ପୁଣି ନାକେଦମ ହୋଇଛି ପୁଲିସ । ପ୍ରେମିକ ଓ ପ୍ରେମିକା ବାଡିଆ ପିଟା ଲାଗି ମାମଲା ଥାନାରେ ପହଁଚିଛି । ପୁଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି । ଏଭଳି ଏକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଦୁହେଁ ଦୁହିଁକୁ ପ୍ରେମ କରୁଥିଲେ । ତେବେ କିଛିଦିନ ହେବ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଆସୁଥିଲା ପ୍ରେମିକ । ଆଉ ଏହା ଉପରେ କଡ଼ା ନଜର ମଧ୍ୟ ରଖିଥିଲା । ମୋବାଇଲଠୁ ନେଇ ପ୍ରେମିକା କୁଆଡେ ଗଲେ କାହାସହ ମିଶିଲେ ଏସବୁ ଉପରେ ନଜର ରଖିଥିଲା ପ୍ରେମିକ । ଏସବୁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସନ୍ଧ୍ୟାରେ ଉଭୟ ଡକାଡକି ହୋଇ ମାଷ୍ଟରକ୍ୟାଣ୍ଟିନ ପାଖକୁ ଆସିଥିଲେ ।
ଏକ ହୋଟେଲରେ ବସି କଥା ହେବାର ଯୋଜନା ଥିଲା । କିନ୍ତୁ ସବୁ ଓଲଟପାଲଟ ହୋଇଗଲା । ସାମାନ୍ୟ ଯୁକ୍ତିତର୍କ ହାତାହାତିରେ ପହଁଚିଲା । ବିଚ ରାସ୍ତାରେ ପ୍ରେମିକ ଓ ପ୍ରେମିକା ମମାରପିଟ ଘଟଣା ଉପସ୍ଥିତ ଲୋକଙ୍କୁ ବେଶ ମନୋରଞ୍ଜନ ଯୋଗାଇଥିଲା । ପ୍ରେମିକର ନିର୍ଘାତ ମାଡରେ ଚିତପଟାଙ୍ଗ ମାରିଥିଲା ପ୍ରେମିକା । ତେବେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି ।