ଭୁବନେଶ୍ୱର,୨୨ ।୨/(ବ୍ୟୁରୋ): ସକାଳୁ ଉଠିଲେ ଲାଲ ଗୋଲାପ ଫୁଲ ସହ ଗୁଡ୍ ମର୍ଣ୍ଣିଂ, ରାତିରେ ଶୋଇଲେ ଅଧା ଚାନ୍ଦ ସହ ଗୁଡ୍ ନାଇଟ୍ ମେସେଜ୍ । ଖାଲି ସେତିକି ନୁହେଁ ଦିନ ତମାମ୍ ସାୟରୀ ଓ ମଜାମଜା ଜୋକ୍ । ଆପଣ ଭାବୁଥିବେ ଜଣେ ପ୍ରେମିକ କିମ୍ବା ନବ ବିବାହିତ ସ୍ୱାମୀର ଏହା ହୋଇଥିବ ତାଙ୍କ ପ୍ରେମିକା କିମ୍ବା ପତ୍ନୀଙ୍କ ପାଇଁ ମେସେଜ୍ । ଏଥିରେ ନୂତନତ୍ୱ କଣ ରହିଛି ।
ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମେସେଜ୍ କମିଶନରେଟ୍ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କର । ଯାହାର ଏକ ଏକ୍ସକ୍ଲ୍ୟୁସିଭ ପ୍ରମାଣ ଲାଗିଛି ଏଟିଆର ହାତରେ|ରାଜଧାନୀର ବ୍ୟସ୍ତବହୁଳ ଥାନାରେ କାର୍ଯ୍ୟରତ ଥିବା ଜଣେ ମହିଳା ଏସଆଇଙ୍କ ପାଖକୁ ପୁଲିସ ଅଧିକାରୀ ଜଣଙ୍କ ଏପରି ବାରମ୍ବାର ମେସେଜ୍ କରୁଛନ୍ତି। ଯେଉଁଥିରେ ସେ ଅତିଷ୍ଠ ହୋଇଗଲେଣି । ଏହିକଥା ସେ ତାଙ୍କର କିଛି ନିକଟତମ ବନ୍ଧୁଙ୍କୁ କହିଥିଲେ । ହେଲେ ତାଙ୍କୁ ବରିଷ୍ଠ ପୁଲିସ ଅଧିକାରୀ କରୁଥିବା ମେସେଜ୍ ଏବେ ଥାନାର ସମସ୍ତେ ଜାଣିଗଲେଣି ଯାହାକୁ ନେଇ ଉକ୍ତ ଏସଆଇ ଜଣଙ୍କ ଲଜ୍ଜିତ ହୋଇଛନ୍ତି ।
ଖାଲି ସେତିକି ନୁହେଁ ଏହି ପ୍ରେମଦିଆ ମେସେଜ୍ ଏବେ କମିଶନରେଟ୍ ପୁଲିର ସବୁ ଥାନାର ହଟ୍ ଗସିପ୍ ପାଲଟିଛି । ବରିଷ୍ଠ ଅଧିକାରୀଙ୍କ କାରନାମା ମେସେଜରେ ସିମୀତ ରହିନାହିଁ । ଯେତେବେଳେ ମଧ୍ୟ ସେ ସମୟ ପାଇଲେ ସେ ତାଙ୍କ ପାଖକୁ ଫୋନ୍ କଲ୍ କରୁଛନ୍ତି । ଯଦି ବା ଏସ୍ଆଇ ଜଣଙ୍କ ଏହାକୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି ହେଲେ ବରିଷ୍ଠ ପୁଲିସ ଅଧିକାରୀ ଜଣଙ୍କ ଥାନା ଫୋନକୁ କଲ୍ କରିଦେଉଛନ୍ତି ।
ପୂର୍ବରୁ ଅନେକ ଥର କମିଶନରେଟ୍ ପୁଲିସରେ ବରିଷ୍ଠ ଅଧିକାରୀମାନଙ୍କ ସହ ଲେଡି ପୁଲିସଙ୍କର ପ୍ରେମ ସମ୍ପର୍କ କଥା ଶୁଣାଯାଇ ଆସୁଛି । କମିଶନରେଟ୍ ପୁଲିସର ବେଳକୁ ବେଳ ଯେପରି ନିୟମ ହେଲାଣି ସେଥିରେ ଘର କଥା ଭୁଲି ସବୁ ସମୟ ଥାନା ନହେଲେ ଆଇନସୃଙ୍ଖଳାରେ ଦେବାକୁ ପଡୁଛି । ସେଥିରେ ଆଉ ପ୍ରେମ ହେବ ନି ତ ଆଉ କଣଟା ହେବ ବୋଲି ଅଧା ପୁଲିସଙ୍କର ମତ ।