ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କମିଶନରେଟ ପୁଲିସ ସାଧାରଣ ଲୋକଙ୍କ ପୁଲିସ । ବରିଷ୍ଠ ଅଧିକାରୀମାନେ ଏହି ନାରା ଦେଉଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ତା’ର ମନମାନି ଚଳାଇଛି । ଲୋକଙ୍କୁ ସହଯୋଗ କରିବ କ’ଣ ଓଲଟି ପୁଲିସ ଗିରି ଦେଖାଇ ଭୟଭିତ କରାଉଛି । ଯାହାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି । ଠକାମୀର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା କେତେକ ଲୋକଙ୍କୁ କଦର୍ଯ୍ୟ ବ୍ୟବହାର କରିଛି ପୁଲିସ । ଅଭିଯୋଗ ପତ୍ର ନରଖି ଓଲଟି ନାଲି ଆଖି ଦେଖାଇ ଥାନାରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ମଞ୍ଚେଶ୍ୱର ପୁଲିସର ଏଭଳି ବ୍ୟବହାରକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ବରଗଡ଼ ଅଞ୍ଚଳର ପ୍ରଶାନ୍ତ ପଟେଲ ନାମକ ଜଣେ ବ୍ୟକ୍ତି ଚାକିରି କରିବା ପାଇଁ ଇଚ୍ଛୁକ ଥିବା ବେଳେ ଏହାର ଫାଇଦା ଉଠାଇଛି ସିଆଇଏସଏସ ସିକ୍ୟୁରିଟି ସଂସ୍ଥା । ଭୁବନେଶ୍ୱରରେ ଥିବା ଏହି ସିକ୍ୟୁରିଟି ସଂସ୍ଥା କେବଳ ପ୍ରଶାନ୍ତଙ୍କୁ ନୁହେଁ ବରଂ ତାଙ୍କ ପରି ଅନେକଙ୍କୁ ଚୂନ ଲଗାଇ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି । ଟଙ୍କା ନେବା ପରେ ସଂସ୍ଥାର ମାଲିକ ରବିନ୍ଦ୍ର ନାଥ ପ୍ରଧାନ ନାଁ ଧରାଛୁଆଁ ଦେଉଛନ୍ତି ନା’ ଫୋନ କଲେ ରିସିଭ କରୁଛନ୍ତି । ଠକାମୀର ଶିକାର ହେବା ପରେ ବରଗଡ଼ରୁ ଆସିଥିବା ପ୍ରଶାନ୍ତ ଓ ତାଙ୍କ ସାଙ୍ଗମାନେ ମଞ୍ଚେଶ୍ୱର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଅଶା ଓ ବିଶ୍ୱାସ ଥିଲା ପୁଲିସ ତାଙ୍କ ଦୁଃଖ ବୁଝିବ ଓ ସେ ନ୍ୟାୟ ପାଇବେ । କିନ୍ତୁ ଥାନାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ସବୁ ଆଶା ଓ ବିଶ୍ୱାସ ଭାଙ୍ଗିଯାଇଥିଲା । ଉପସ୍ଥିତ ପୁଲିସ କର୍ମଚାରୀ ଏମିତି ବ୍ୟବହାର କଲେ ଯେ, କାନ୍ଦିକାନ୍ଦି ଫେରିବାକୁ ବାଧ୍ୟ ହୋଇଥିଲେ ଅଭିଯୋଗକାରୀ ।
ଏଠି ପ୍ରଶ୍ନ କ’ଣ ପାଇଁ ମଞ୍ଚେଶ୍ୱର ପୁଲିସ ଲୋକଙ୍କୁ ଏମିତି ବ୍ୟବହାର କରୁଛି? ଅଭିଯୋଗ ନରଖିବା ପଛର ଉଦ୍ଦେଶ୍ୟ କ’ଣ? କାହା ବଳରେ ଡେଉଁଛି ମଞ୍ଚେଶ୍ୱର ପୁଲିସ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ମଞ୍ଚେଶ୍ୱର ପୁଲିସର ଏଭଳି ଦାଦାଗିରି ପ୍ରଥମ ନୁହେଁ ବରଂ ଢ଼େରଦିନର ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀ ତୁରନ୍ତ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।