ଭୁବନେଶ୍ଵର,6/2(ବ୍ୟୁରୋ): କାମନା ଆଗରେ ହାର୍ ମାନିଲା ଭାଇ-ଭଉଣୀର ସମ୍ପର୍କ । ଶାରୀରିକ ସମ୍ପର୍କ ରଖିବା ପାଇଁ ମାନସିକ ବିକାରଗ୍ରସ୍ତ ଭଉଣୀକୁ ଛାଡିଲାନି ଭାଇ । ଅନ୍ତଃସତ୍ତ୍ଵା ହୋଇ ଭଉଣୀ ଖସି ଆସିବା ପରେ ଏବେ ପୋଲିସର ଦ୍ଵାରସ୍ଥ ହୋଇଛି । ଘଟଣାଟି ଘଟିଛି ମଞ୍ଚେଶ୍ଵର ଥାନା ଅଧିନରେ । ଆଶ୍ଚର୍ଯ୍ୟର କଥା ଥାନାରେ ପୀଡିତା ଜଣଙ୍କୁ ସହିବାକୁ ପଡିଛି ପୋଲିସର ନିର୍ଯାତନା । ମାନସିକ ବିକାରଗ୍ରସ୍ତ ଥିବାରୁ ଗର୍ଭନଷ୍ଟ କରି ମାମଲାକୁ ରଫାଦଫା କରିବା ପାଇଁ ପୋଲିସ କହିଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଘଟଣା ପ୍ରଘଟ ହେବା ପରେ ପୋଲିସ ସମ୍ପର୍କୀୟ ଭାଇକୁ ଅଟକ ରଖିଛି । ତାଙ୍କ ନାମ ବିଜୟ ଆଚାର୍ଯ୍ୟ ଓରଫ ମନୋଜ ବୋଲି ପୋଲିସ କହିଛି ।
ଘଟଣାରୁ ପ୍ରକାଶ ଯେ ମନୋଜ ପ୍ରଶାନ୍ତବିହାର ଅଞ୍ଚଳରେ ଥିବା ଏକ ହନୁମାନମନ୍ଦିରର ପୂଜକ ଭାବେ କାମ କରନ୍ତି । ସେ କଳାରାହାଙ୍ଗ ଅଞ୍ଚଳରେ ରୁହନ୍ତି । ତାଙ୍କ ମାମୁଁ ଝିଅ ଭଉଣୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କୁ ପାଖରେ ରଖିବାକୁ ସେ ତାଙ୍କ ମାମୁଁଙ୍କୁ କହି ଆସୁଥିଲେ । ବାରମ୍ବାର ମାମୁଁଙ୍କୁ ଏହି ବିଶୟରେ କହିବା ପରେ ଦିନେ ମାମୁଁ ଘରକୁ ୟାଇ ଭଉଣୀକୁ ତାଙ୍କ ଘରକୁ ଯୋରଜବରଦସ୍ତ ନେଇ ଆସିଥିଲେ । ପରେ ତାଙ୍କ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ମନୋଜ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଘରେ ଦିନେ ମନୋଜ ନଥିବା ବେଳେ ଯୁବତୀ ଜଣଙ୍କ ସେଠାରୁ ଖସି ଆସି ଘରକୁ ପଳାଇ ଆସିଥିଲେ । ଘରେ ସେ ପ୍ରବଳ ବାନ୍ତି କରିବାରୁ ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ୍ କରାଯିବା ପରେ ସେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏହାକୁ ନେଇ ପୀଡିତାଙ୍କ ବାପା ମା ମନୋଜଙ୍କୁ ପଚାରିବାରୁ ସେ ଧମକଚମକ ଦେଇଥିଲେ । ଅନ୍ୟ ଉପାୟ କିଛି ନପାଇ ଶେଷରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଥିବା କହିଛନ୍ତି ।