ଭୁବନେଶ୍ୱର,୭ା୨/(ଏକ୍ସକ୍ଲ୍ୟୁସିଭ୍): ଉପରୁ ଚାପ ଓ ତଳୁ ତାପ ନମିଳିଲେ ଯେପରି ପ୍ରେସର କୁକରରେ ଶାଗ ବି ସିଝେନି ଠିକ୍ ସେମିତି ଆମ କମିଶନରେଟ ପୁଲିସ । ବଡ଼ବଡ଼ିଆ ବାବୁଙ୍କ ଚାପ ଆଉ ଗଣମାଧ୍ୟମର ତାପ ନବାଜିଲେ ପୁଲିସ ବାବୁଙ୍କ ଚେତା ପଶେନି ।
ଠିକ୍ ଏମିତି ଘଟଣାକୁ ଦୋହରାଇଛି ଖଣ୍ଡଗିରି ଥାନା ପୁଲିସ । ୩ମାସ ହେବ ଶୋଇଥିବା ପୁଲିସ ଏବେ ଏଟିଆର୍ ନ୍ୟୁଜ୍ ଖବର ପ୍ରକାଶ ପରେ କଡ଼ ଲେଉଟାଇଛି । ସକାଳୁ ସକାଳୁ ନିଖୋଜ ନାବାଳିକାଙ୍କ ବାପାଙ୍କୁ ଫୋନ୍ କରି ସହଯୋଗ କରିବା ଲାଗି ଭରସା ଦେଇଛି । ୨ଦିନ ତଳେ ଖଣ୍ଡଗିରି ବାଗଲପୁର ଅଞ୍ଚଳରେ ନିଖୋଜ ନାବାଳିକା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । ୧୦ହଜାର ଟଙ୍କା ଆଣ ଝିଅ ଖୋଜିବା କଥା ପୁଲିସ କହୁଥିବା କଥା ଲୋକ ଲୋଚନକୁ ଆଣିଥିଲା ଏଟିଆର୍ ନ୍ୟୁଜ୍ ।
ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ନଜର ପଡିବା ପରେ ଏବେ ଥାନା ବାବୁଙ୍କ ହେତୁ ପଶିଛି । ସେପଟେ ଏ ସମ୍ପର୍କରେ ନିଖୋଜ ବାପାଙ୍କୁ ଆମେ ଯୋଗାଯୋଗ କରିଥିଲୁ । ତାଙ୍କ କହିବା ଥିଲା, ଦୀର୍ଘ ୩ମାସ ଦୌଡିବା ପରେ ମଧ୍ୟ ପୁଲିସ କିଛି ଶୁଣୁନଥିଲା । ଏବେ ପଞ୍ଚାୟତ ପୂରା ଘଟଣା ଉପରେ ବିଚାର କରୁଛି ।
ଏଠି ପ୍ରଶ୍ନ ଉଠୁଛି କାହିଁକି ୩ମାସ ଚୁପ୍ ରହିଥିଲା ପୁଲିସ? ଜଣେ ଗରିବ ବାପାର ଝିଅ ପରିବର୍ତ୍ତେ ଯଦି କୌଣସି ଆଇପିଏସ୍, ଆଇଏଏସ୍ ଅଥବା ମନ୍ତ୍ରୀଙ୍କ ଝିଅ ହୋଇଥାନ୍ତା ତାହେଲେ ପୁଲିସ ଏମିତି ପେଖନା କରିଥାନ୍ତା କି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ବିଶେଷ କରି ଖଣ୍ଡଗିରି ଥାନା ପୁଲିସ ନିଜ ମନମୁଖି ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।