ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟରେ ସାମ୍ନାକୁ ଆସନ୍ତି ଏମାନେ । ଜୀବନକୁ ବାଜି ଲଗାଇ ଧନ ଜୀବନ ରକ୍ଷା କରନ୍ତି । ହେଲେ ର୍ଦୁଭାଗ୍ୟ ଏବେ ଏମାନଙ୍କ ସତା ହଜିବାକୁ ବସିଛି । ସରକାରଙ୍କ ଢ଼ିଲା ମନୋଭାବ ଓ କେତେକ ବଡବଡିଆ ବାବୁଙ୍କ ପାଇଁ ଏଭଳି ଅବସ୍ଥା ଉପୁଜିଥିବା ସିଧାସଳଖ ଅଭିଯୋଗ ଉଠିଛି । ଆମେ କହୁଛୁ ବେସାମରିକ ପ୍ରତିରକ୍ଷା ସଂଗଠନ ବା ସିଭିଲ ଡିଫେନ୍ସ ଅର୍ଗାନାଇଜେସନ ସମ୍ପର୍କରେ ।
ଜାଣି ଆଶ୍ଚର୍ଯ୍ୟ ହେବେ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ବାବଦରେ ଦୈନିକ ୨୮ଟଙ୍କା ମିଳୁଛି । ଆଜିକା ସମୟରେ ୨୮ଟଙ୍କା ବା କେଉଁ କାମରେ ଲାଗୁଥିବ ତାହା ସହଜେ ଅନୁମେୟ । ଅନୁସନ୍ଧାନରୁ ଜଣାପଡିଛି ୧୯୯୭ରେ ବେସାମରିକ ପ୍ରତିରକ୍ଷା ବାହିନୀ ଓ ହୋମଗାର୍ଡଙ୍କ ପ୍ରଶିକ୍ଷଣ ଏକାସଙ୍ଗେ ଆରମ୍ଭ ହୋଇଥିଲା । ତେବେ ହୋମାଗର୍ଡଙ୍କ ଦୈନିକ ଅନୁଦାନ ଏବେ ୩ଶହ ଟଙ୍କାରେ ପହଁଚିଥିବା ବେଳେ ଏହି ସ୍ୱେଚ୍ଛାସେବୀଙ୍କ ଅନୁଦାନ ସେହି ୨୮ଟଙ୍କାରେ ଅଟକିଛି । ଅନ୍ୟ ରାଜ୍ୟରେ ଏହା ୪ଶହ ଟଙ୍କାରେ ପହଁଚିଲାଣି । ପରିସ୍ଥିତି ଏପରି ହୋଇଛି ଓଡିଶାରେ ଏହା ହାତରୁ ଖାଇ ଘୋଡା ଆଗରେ ଦୌଡିବା ଭଳି ସଦୃଶ୍ୟ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି ସଂସ୍ଥାଟି ପୁଣି ଗୃହ ବିଭାଗ ଅଧିନରେ ରହିଛି । ତଥାପି ବିଭାଗୀୟ ଅଧିକାରୀଙ୍କ ଅବହେଳାର ଶିକାର ହେବା ସମସ୍ତଙ୍କୁ ଚକିତ କରିଛି ।
ରିପୋର୍ଟ କହୁଛି ବର୍ଷକୁ ପ୍ରାୟ ଦେଢ଼କୋଟିରୁ ୨କୋଟି ଟଙ୍କା ଅନୁଦାନ ବାବଦରେ ସଂସ୍ଥାକୁ ମିଳୁଛି । ଏଠି ପ୍ରଶ୍ନ ଏସବୁ ଟଙ୍କା ଯାଉଛି କୁଆଡେ? କାହିଁକି ଏନେଇ ମୁହଁ ଖୋଲୁନାହାନ୍ତି ବିଭାଗୀୟ ଅଧିକାରୀ? ଅଭିଯୋଗ ହୋଇଛି ଏହି ଅନୁଦାନକୁ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯାଇ ବଡ଼ବଡିଆ ବାବୁମାନେ ନିଜର ପାରିବା ପଣିଆ ଦେଖାଉଛନ୍ତି । ସେପଟେ ସ୍ୱେଚ୍ଛାସେବୀ ସଂଗଠନକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ବର୍ଷବର୍ଷ ପରେ ବି ଏହି ଦାୟିତ୍ୱରେ ଥିବା ଡେପୁଟି କଂଟ୍ରୋଲର ପୈତୃକ ସମ୍ପତି ଭାବି ଗୋଟିଏ ଜାଗାରେ ଗାଦି ମାଡି ବସିଛନ୍ତି । ରେକର୍ଡ କହୁଛି ଏହି ପଦବୀରେ ଥିବା ସତ୍ୟବ୍ରତ ପାଢ଼ୀଙ୍କୁ ୨୦୦୬ରେ କୋରାପୁଟକୁ ବଦଳି ହୋଇଥିଲା ।
ଶୁଣିବାକୁ ମିଳୁଛି ତାଙ୍କ ସ୍ଥାନରେ ଯାହାଙ୍କୁ ଅଣାଯାଇଥିଲା ସେ ବଡ଼ବଡିଆଙ୍କୁ ସାଲିସ ନକରିବା ଯୋଗୁ ତାଙ୍କୁ ପୁଣି କାଢ଼ି ଦିଆଯାଇ ଆଉଥରେ ସତ୍ୟବ୍ରତଙ୍କୁ ସେହି ଜାଗାରେ ଦାୟିତ୍ୱ ଦିଆଯାଇଛି । ସିଧା କହିବାକୁ ଗଲେ ୨୦୦୯ରୁ ପୁଣି ସମାନ ପଦବୀରେ ଗାଦି ମାଡି ବସିଛନ୍ତି ସତ୍ୟବ୍ରତ । ଏହା ଭିତରେ ତାଙ୍କର ପଦୋନ୍ନତୀ ହୋଇଥିଲେ ବି ବାବୁ ଜାଗା ଛାଡିଯିବାକୁ ନାରାଜ । ଏକାସଙ୍ଗେ ୨ଟି କାମ କିପରି ତୁଲାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ? ସବୁଠୁ ବଡ଼ କଥା ହେଉଛି ଅଗି୍ନଶମ ବିଭାଗ ସହ ଏହି ସଂସ୍ଥାକୁ ଯୋଡା ଯାଇଥିଲା । ଗୋଟିଏ ପଟେ ଅଗ୍ନିଶମବିଭାଗ ହୁତୁହୁତୁ ହୋଇ ବଢୁଥିବା ବେଳେ ଅନ୍ୟପଟେ ଏହି ସ୍ୱେଚ୍ଛାସେବୀ ସଂଗଠନ ଚିତପଟାଙ୍ଗ ମାରିବା ପଛରେ କିଛି ବଡବଡିଆଙ୍କ ଚାଲ ନାହିଁତ? ସେନେଇ ଆଲୋଚନା ଜୋର ଧରିଛି ।
ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ? ତୁରନ୍ତ ଏହି ବିଭାଗ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଥିବା ବେଳେ ସେପଟେ ଏହି ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକଙ୍କ ଏକ କଳାକାରନାମାର ଏକ୍ସକ୍ଲ୍ୟୁସିଭ ଫୁଟେଜ ଏଟିଆର ନ୍ୟୁଜ ହାତରେ ଲାଗିଛି । ଯାହା ଖୁବ ଶୀଘ୍ର ପର୍ଦ୍ଦଫାସ କରାଯିବ । କିଭଳି ପ୍ରଶିକ୍ଷକ ଜଣେ ଛାତ୍ରୀଙ୍କ ସହ ଯୋଡି ହୋଇ ଫଟୋ ଉଠାଉଛନ୍ତି ତାହା ଭାଇରାଲ ହୋଇଛି । ଜଣେ ପ୍ରଶିକ୍ଷକ ଓ ଛାତ୍ରୀଙ୍କ ଏଭଳି ଫଟୋକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ବି ଏହି ପ୍ରଶିକ୍ଷକଙ୍କୁ ନାହିଁନଥିବା ଭାଷାରେ ଗାଳି ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି । ପୁଣି କହି ରଖୁଛୁ ଏହାର ଫୁଟେଜ ଏଟିଆର ନ୍ୟୁଜ ହାତରେ ଲାଗିଛି । ଯାହା ଖୁବ ଶୀଘ୍ର ସାମ୍ନାକୁ ଆସିବ ।