ଅନୁଗୁଳ,(ଏଟିଆର ବ୍ୟୁରୋ): ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ହୋହାଲ୍ଲା ସାଙ୍ଗକୁ ଜୋରଦାର ଆନ୍ଦୋଳନ । ଫଳସ୍ୱରୂପ ଠପ ହୋଇଛି ଯାତାୟତ । ଏଭଳି ଘଟଣା ନଜରକୁ ଆସିଛି ଅନୁଗୁଳରେ । ସମ୍ବଲପୁର-କଟକ ଏନଏଚକୁ ଲୋକେ ଅବରୋଧ କରିଛନ୍ତି । ପୁଲିସ ପହଞ୍ଚି ଯଦିଓ ବୁଝାସୁଝା କରୁଛି ତଥାପି ପରିସ୍ଥିତି ଶାନ୍ତ ହୋଇନଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ଏକ ତେଲ ଟ୍ୟାଙ୍କରର ଡ୍ରାଇଭର କ୍ୟାବିନରୁ ଜଣେ ଯୁବକଙ୍କ ମୃତଦେଦ ଠାବ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି । ମୃତଦେହ କ୍ୟାବିନ ଭିତରକୁ କିପରି ଆସିଲା? ତାଙ୍କୁ ହତ୍ୟା କଲା କିଏ? ଏଭଳି ତମାମ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ତାତି ଉଠିଛନ୍ତି ସ୍ଥାନୀୟ ଲୋକ । ଜରପଡା ଥାନା ଅନ୍ତର୍ଗତ କତଡା ନିକଟରେ ରହିଛି ଏକ ଢ଼ାବା । ଏହି ଢ଼ାବା ପାଖରେ ରହିଥିବା ଏକ ଟ୍ୟାଙ୍କରର ଡ୍ରାଇଭର କ୍ୟାବିନରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାଁ ଜ୍ଞାନେନ୍ଦ୍ର ସାହୁ । ଜ୍ଞାନେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଲୋକେ ଅଭିଯୋଗ ଉଠାଇଛନ୍ତି । ପୁଲିସ ପୂରା ଘଟଣାର ତଦନ୍ତ କରୁଛି ।