ଥିରୁଭନନ୍ତପୁରମ୍,(ଏଜେନ୍ସି): ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣେ ୬୫ ବର୍ଷୀୟ ବୃଦ୍ଧା ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ହେଁ ତାଙ୍କୁ କେହି ସାହାଯ୍ୟର ହାତ ନବଢ଼ାଇବା ଏବେ ଲୋକଙ୍କ ମାନସିକତା ପ୍ରତି ପ୍ରଶ୍ନ ଉଠାଇଛି । ବୃଦ୍ଧା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କ ପ୍ରତି ଦୃଷ୍ଟି ଦେଇ ନଥିଲେ । କେରଳ ରାଜଧାନୀ ଥିରୁଭନନ୍ତପୁରମଠାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ।
ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସିଟିଭିରୁ ଏହା ସ୍ପଷ୍ଟ ହୋଇଛି ଯେ ଗୋଟିଏ ବାଇକରେ ଯାଉଥିବା ୩ ଜଣ ଯୁବକ ପ୍ରଥମେ ଏହି ୬୫ ବର୍ଷୀୟ ବୃଦ୍ଧାଙ୍କୁ ଧକ୍କା ଦେଇଥିଲେ । ସେ ରାସ୍ତାରେ ଛିଟିକି ପଡ଼ିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ । ଏହାପରେ ବୃଦ୍ଧା ଜଣଙ୍କ ରାସ୍ତାରେ ପଡ଼ି ଦୀର୍ଘ ୩ ମିନିଟ୍ ୨୫ ସେକେଣ୍ଡ ପାଇଁ ସାହାଯ୍ୟ ମାଗିଥିଲେ । ଏହି ସମୟର ସେହି ରାସ୍ତା ଦେଇ ଅନେକ ପଥଚାରୀଙ୍କଠାରୁ ଆରମ୍ଭ କରି ବାଇକ ଆରୋହୀ ଯାଉଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରି ନଥିଲେ ।
ଖାଲି ଏତିକି ନୁହେଁ କିଛି ସମୟରେ କେତେକ ଲୋକ ଉକ୍ତ ସ୍ଥାନରେ ରୁଣ୍ଡ ହୋଇ ବୃଦ୍ଧାଙ୍କ ଦୁର୍ଘଟଣା ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିଥିଲେ । ଏତିକି ବେଳେ ଭିଡ଼ ଭିତରୁ ଜଣେ ଯୁବକ ବୃଦ୍ଧାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଠିକ୍ ଏତିକି ବେଳେ ପୁଲିସ୍ ଭ୍ୟାନ୍ ମଧ୍ୟ ସେଠାରେ ପହଞ୍ଚିଥିଲା । ପରେ ପୁଲିସ୍ ଆହତ ବୃଦ୍ଧାଙ୍କୁ ସ୍ଥାନୀୟ ଥିରୁଭନନ୍ତପୁରମ ହସ୍ପିଟାଲ୍ରେ ଭର୍ତ୍ତି କରିବା ସହ ଦୁର୍ଘଟଣା ଘଟାଇଥିବା ୩ ଜଣ ଯୁବକଙ୍କୁ ଗିରଫ କରିଛି ।