ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ଘାଣ୍ଟି ହେବା ପରେ ଶେଷରେ ମିଳିଛି ସଫଳତା । ପର୍ଦ୍ଦାଫାସ ହୋଇଛି ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଏକ ତରଫା ପ୍ରେମ କି’ ପୂର୍ବ ଶତ୍ରୁତା ନୁହେଁ ବରଂ ଏକ ଚୌକି ଲାଗି ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଜଘନ୍ୟ କାଣ୍ଡ ଭିଆଇଛନ୍ତି ପୁଣି ଜଣେ ଇଂରାଜି ଅଧ୍ୟାପକ । ତାଙ୍କ ନାଁ ପୁଞ୍ଜିଲାଲ ମେହେର । କ୍ରାଇମବ୍ରାଞ୍ଚ ତାଙ୍କୁ ଅଟକ ରଖି ଏବେ ମାରାଥନ ଜେରା କରୁଛି । କିଭଳି ଓ କାହା ସହଯୋଗରେ ସେ ଏମିତି କାଣ୍ଡ ଭିଆଇଲେ ତାହାର ଚେର ଖୋଜୁଛି ।
ସେପଟେ ପୁଞ୍ଜିଲାଲଙ୍କ ଘରୁ ବହୁ ପରିମାଣର ବାରୁଦ ଜବତ ହେବା ପରେ ସେସବୁ କେଉଁଠାରୁ ଆସିଥିଲା ସେନେଇ ଅଧିକ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ । ପାଟଣାଗଡ଼ ଭଇଁସା କଲେଜରେ କାର୍ଯ୍ୟନିର୍ବାହି ଅଧିକାରୀ ଥିଲେ ପୁଞ୍ଜିଲାଲ । ତାଙ୍କ ଆଶା ଥିଲା ସେ ସେଠାରେ ଅଧ୍ୟକ୍ଷ ଗାଦିରେ ସ୍ଥାୟୀ ଭାବେ ବସିବା ଲାଗି । ଯାହା ଫସର ଫାଟିଯାଇଥିଲା । ଅଧ୍ୟକ୍ଷ ପଦବୀରେ ବସିଥିଲେ ମୃତ ଶୌମ୍ୟଶେଖରଙ୍କ ମା’ । ଯାହାକୁ ନେଇ ରାଗରେ ହିତାହିତ ଜ୍ଞାନ ଭୁଲିଯାଇଥିଲେ ପୁଞ୍ଜିଲାଲ । ଏହି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଉପୁଜିଥିଲା । ବାସ ଏହାପରେ ଯେନତେନ ପ୍ରତିଶୋଧ ନେବା ଲାଗି ଚିନ୍ତା କରିଥିଲେ ପୁଞ୍ଜିଲାଲ । ମୌକା ମିଳିଯାଇଥିଲା ସୌମ୍ୟଶେଖରଙ୍କ ବାହାଘର । ପୂରା ପରିବାରକୁ ଉଡାଇଦେବା ଲାଗି ପ୍ରସ୍ତୁତ କରିଥିଲେ ବ୍ଲ୍ୟୁପ୍ରିଣ୍ଟ । ବୋମା ପାର୍ସଲ କରିବାଠୁ ନେଇ କୋରିୟର ସଂସ୍ଥା ପର୍ଯ୍ୟନ୍ତ ବେଶ ଚତୁରତାର ସହ ଜାଲ ବିଛାଇଥିଲେ । ଗିିଫ୍ଟ ପ୍ୟାକେଟ ଦେବା ଆଳରେ ଏକ ପରିବାରକୁୁ ଛାରଖାର କରିଦେଇଥିଲେ ।
ରାଜ୍ୟରେ ପ୍ରଥମ ଓ ଏଭଳି ଏକ ବିରଳ ହୃଦୟ ବିଦାରକ ଘଟଣାକୁ ନେଇ ସବୁଠି ଥରହର ହୋଇଥିଲା । ଚିନ୍ତାରେ ପଡିଥିଲା ପୁଲିସ । ତେବେ ସେ ଯାହାହେଉ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ୨ମାସ କାଳ ଛାନବିନ କରିବା ପରେ ଶେଷରେ ଘଟଣାର ପର୍ଦ୍ଦାଫାସ ହୋଇଛି । ତେବେ ସାମାନ୍ୟ ଅଧ୍ୟକ୍ଷ ପଦବୀ ପାଇଁ ଜଣେ ଏତେବଡ଼ ଚକ୍ରାନ୍ତ କରିପାରେ ତାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତିି ଲୋକେ । ସେପଟେ ଯେଉଁ ବୋମା ବ୍ୟବହାର କରାଯାଇଥିଲା ତାହା ସାଧାରଣତଃ ନକ୍ସଲମାନେ ବ୍ୟବହାର କରନ୍ତି । ପୁଞ୍ଜିଲାଲ ଏହା କେଉଁଠୁ ପାଇଲେ ତାହାକୁ ନେଇ ମଧ୍ୟ ଏବେ ବି ଖୋଳତାଡ ଚଳାଇଛି ପୁଲିସ । ତେବେ ଏହି ଘଟଣାରେ ପୁଞ୍ଜିଲାଲଙ୍କ ସହ ଆଉ କେଉଁମାନେ ଜଡିତ ଅଛନ୍ତି ତାହାର ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି ।