ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସମୟ ସିନା ଗଡି ଚାଲିଛି ହେଲେ ପ୍ରକୃତ ହତ୍ୟାକାରୀ ଧରାପଡୁନାହିଁ । ଏଣେ ମାମଲା ପୁଲିସ ପାଖରୁ ଯାଇ କ୍ରାଇମବ୍ରାଁଚରେ ପହଁଚିଛି । କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା? ପୂରା ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ତାହାର ଏବେ ବି ଖୋଳତାଡ ଜାରି ରହିଛି । ସେପଟେ କିନ୍ତୁ ଅଟକ ରଖାଯାଇଥିବା ସନ୍ଦିଗ୍ଧ ଯୁବତୀଙ୍କଠାରୁ ମୃତ ସୌମ୍ୟଶେଖରଙ୍କ ସମ୍ପର୍କରେ ଜାଣିବାକୁ ଉଦ୍ୟମ ଜାରି ରଖିଛି ଏସଆଇଟି ଟିମ । ଗତକାଲି ଯୁବତୀଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ପୁଣି ଥରେ ତାଙ୍କୁ ତଦନ୍ତକାରୀ ଟିମ ଜେରା କରିବ ବୋଲି ସୂଚନା ମିଳିଛି । ତେବେ ତାଙ୍କଠୁ ଏମିତି କିଛି ସୁରାକ ମିଳିଛି ଯେଉଁଥିପାଇଁ ଏସଆଇଟିର ୩ ଜଣ ଅଧିକାରୀ ପୁଣି ବାଙ୍ଗାଲୁର ଯାଇଥିବା ସୂଚନା ମିଳିଛି ।
କେବଳ ଏତିକି ନୁହେଁ ରାଜ୍ୟ ବାହାରକୁ ଯାଇଥିବା ୨ଟି ତଦନ୍ତକାରୀ ଟିମର ହାତ ମଧ୍ୟ ଏଯାବତ ଖାଲି ରହିଛି । ୧୦ ଟି ସ୍ଥାନରେ ବ୍ୟାପକ ଛାନଭିନ ପରେ ଘଟଣାର କୌଣସି ସୁରାକ ମିଳିନଥିବା ଜଣାପଡ଼ିଛି । ରାୟପୁରରେ ଗୋଟିଏ ଟିମ ଓ ପାଟଣାଗଡ଼ରେ ଆଉ ଗୋଟିଏ ଟିମ ତଦନ୍ତ ଚଳାଇଛନ୍ତି । ସବୁଠୁ ବଡ଼କଥା ହେଉଛି ଶେଖରଙ୍କ ଯୋଗାଯୋଗରେ ଥିବା ପ୍ରାୟ ତାଙ୍କର ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ତଦନ୍ତକାରୀ ଟିମ ଠାବ କରିଛି । ସେମାନଙ୍କ ମୋବାଇଲ ଯାଁଚ କରାଯାଇଛି । ଚଣ୍ଡିଗଡ଼ ଓ ମହୀଶୂର ଯାଇଥିବା ଟିମ ସେଠାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ସୂଚନା ମିଳିଛି ।
ରାୟପୁର ଉକ୍ତ କୋରିୟର ସଂସ୍ଥାକୁ ଯେଉଁ ତାରିଖରେ ପାର୍ସଲ ନେଇ ଅଜଣା ପ୍ରେରକ ଜଣକ ଆସିଥିଲେ ସେତେବେଳେ କେଉଁ କେଉଁ ମୋବାଇଲ ସେହି ସମୟରେ କାର୍ଯ୍ୟ କରୁଥିଲା ସେ ନେଇ ପୁଲିସ ଏକାଧିକ ମୋବାଇଲ କମ୍ପାନୀଙ୍କ ସହାୟତା ନେଇଛି । ଶେଖରଙ୍କ ମୋବାଇଲ୍ ଫୋନ୍ ଓ ଫେସ୍ବୁକ୍ ଯାଁଚ କରିବା ପରେ ଏବେ ଏସଆଇଟି ଟିମ ସିଧାସଳଖ ବାଙ୍ଗାଲୁରରେ ଫୋକସ କରିଛି ।