ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆରମ୍ଭ ହେଲା ଜୋରଦାର ତଦନ୍ତ । କ୍ରାଇମବ୍ରାଞ୍ଚ ଟିମ ସାମିଲ ପରେ ଏବେ ଅଭିଯୁକ୍ତ ପାଖରେ ଶୀଘ୍ର ପହଁଚିବା ଲାଗି ପୁଲିସ ଜୀଜାନ ଲଗାଇ ଦେଇଛି । ରାଜ୍ୟ ବାହାରକୁ ଯାଇଥିବା ୪ଟି ଟିମ୍ ୧୦ ଟି ଜାଗାରେ ଖୋଳତାଡ ଚଳାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶେଖରଙ୍କ ଯୋଗାଯୋଗରେ ଥିବା ପ୍ରାୟ ୮ ଜଣଙ୍କ ମୋବାଇଲ ଫୋନକୁ ଏବେ ଟ୍ରାକ କରାଯାଇ ଥିବା ଜଣାପଡିଛି ।
ରାୟପୁରରେ ଥିବା ସ୍କାଏକିଙ୍ଗ୍ କୋରିୟର ସଂସ୍ଥାକୁ ଯାଇ ପୁଣି ଆଉ ଥରେ ଖୋଳତାଡ଼ କରିଛି ପୁଲିସ । ପାର୍ସଲ ପଠାଇଥିବା ଯୁବକର ହୋଲିଆ ସମ୍ପର୍କରେ କୋରିୟର ସଂସ୍ଥାର ଅଧିକାରୀଙ୍କଠୁ ବୁଝାଯାଇଛି । ତେବେ ଶେଖରଙ୍କ ଫୋନରୁ ଅଭିଯୁକ୍ତ ସମ୍ପର୍କରେ କୌଣସି ସୁରାକ ମିଳୁନଥିବା ବେଳେ ଶେଖରଙ୍କ ଲିଙ୍କରେ ଥିବା ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମୋବାଇଲ ଲୋକେସନ୍ ରାୟପୁର ଥିବା ଜାଣିବାକୁ ପାଇଛି ପୁଲିସ । ଯାହାକୁ ନେଇ ଏବେ ପୁଲିସ୍ ଦ୍ୱନ୍ଦରେ ପଡ଼ିଛି ।
ଖୁବ ଶୀଘ୍ର ସମ୍ପୃକ୍ତ ଯୁବକଙ୍କୁ ଜେରା କରିବାକୁ ଯୋଜନା ଚଳାଇଛି ପୁଲିସ । ସେପଟେ ଚଣ୍ଡିଗଡ଼ ଓ ମହୀଶୂର ଯାଇଥିବା ଟିମ୍ ସେଠାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ସୂଚନା ମିଳିଛି । ରାୟପୁର ଉକ୍ତ କୋରିୟର ସଂସ୍ଥାକୁ ଯେଉଁ ତାରିଖରେ ପାର୍ସଲ ନେଇ ଅଜଣା ପ୍ରେରକ ଜଣକ ଆସିଥିଲେ ସେତେବେଳେ କେଉଁ କେଉଁ ମୋବାଇଲ ସେହି ସମୟରେ କାର୍ଯ୍ୟ କରୁଥିଲା ସେ ନେଇ ପୁଲିସ ଏକାଧିକ ମୋବାଇଲ କମ୍ପାନୀଙ୍କ ସହାୟତା ନେଇଛି । ସିଧା କହିବାକୁ ଗଲେ ଶେଖରଙ୍କ ମୋବାଇଲ୍ ଓ ଫେସବୁକ୍ ଘାଁଟିବା ପରେ ଏବେ ପୁଲିସ୍ ଟିମର ଫୋକସରେ ରହିଛି ବେଙ୍ଗାଲୁର ।