ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସରକାରଙ୍କ ବିଚିତ୍ର ନିୟମ । ଯାହା ପାଇଁ ପୂରା ପେଶି ହେଉଛି ପୁଲିସ ବିଭାଗ । ଖାଲି ନାକରେ କାନ୍ଦୁଛି । ନା କାହାକୁ କହି ପାରୁଛି ନା ସହି ପାରୁଛି । ପରିସ୍ଥିତି ଏପରି ହୋଇଛି ଯେ, ଅଜଣା ମୃତଦେହ ଦେଖିଲେ ଡରୁଛି ପୁଲିସ । ରେକର୍ଡ କହୁଛି ସହରାଞ୍ଚଳ ଲାଗି ୨ହଜାର ଓ ଗ୍ରାମାଞ୍ଚଳ ଲାଗି ମାତ୍ର ଦେଢ଼ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର । ଯାହା ସମୁଦ୍ରକୁ ସଙ୍ଖେ । ଏ ହେଉଛି ଅଜଣା ମୃତଦେହ ଠାବ ହେଲେ ପୁଲିସକୁ ଦିଆଯାଉଥିବା ସରକାରଙ୍କ ସହାୟତା ବିଷୟ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ରିପୋର୍ଟ କହୁଛି ଗ୍ରାମାଁଚଳ ପୁଲିସ ଏହି ଅଜଣା ମୃତଦେହ କେସ ପାଇଲେ ମୁଣ୍ଡରେ ହାତ ଦେଉଛି । ରାସ୍ତା ଉପରୁ ମୃତଦେହ ଉଠାଇବାଠୁ ହେଲେ ପୁଲିସକୁ ନାକେଦମ ହେବାକୁ ପଡୁଛି । ନା ଗାଡି ମିଳୁଛି ନା କିଛି ସହାୟତା । ଯଦିବା ପ୍ରାଇଭେଟ ଗାଡି ମିଳୁଛି ଗାଡିମାଲିକ ତେଲଠୁ ନେଇ ଗାଡି ଧୋଇବା ଚାର୍ଜ ପୁଲିସ ମୁଣ୍ଡରେ ଲଦୁଛି । ଏତିକି ନୁହେଁ ଏହାପରେ ପୁଣି ହସପିଟାଲ ଓ ଶେଷରେ ମୃତଦେହକୁ ପୋତିବା ପର୍ଯ୍ୟନ୍ତ ପୁଲିସକୁ ନାକେଦମ ହେବାକୁ ପଡୁଛି । ତେବେ ଏସବୁ ପାଇଁ ପାଖାପାଖି ୧୦/୧୫ ହଜାର ଟଙ୍କାରୁ ଅଧିକ ତଣ୍ଡ ଗଣିବାକୁ ପଡୁଥିବା ଜଣାପଡିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାରଙ୍କଠୁ ମିଳୁଥିବା ଅର୍ଥରାଶୀ ବି ଠିକ ସମୟରେ ମିଳୁନାହିଁ । ଏଥିପାଇଁ ବି ମାସମାସ ବିତିଯାଉଛି । ବିଚରା ପୁଲିସ ଏପଟେ ହାତରୁ ଟଙ୍କା ଗଣି ଗଣି ନାକେଦମ ହେଉଛି ।
ଏଠି ପ୍ରଶ୍ନ ପୁଲିସ ଖର୍ଚ୍ଚ ହେଉଥିବା ଟଙ୍କା ଆଣିବ କେଉଁଠୁ? ମାସରେ ଯଦି ୪ଟା କେସ ଏପରି ଆସିଲା ପୁଲିସ କରିବ କଣ? ଖାଲି ଏତିକି ନୁହେଁ ସର୍ଭେ ରିପୋର୍ଟ କହୁଛି ଖାସ ଏଥିପାଇଁ ସେ ମଦ ବେପାରି ହୁଅନ୍ତୁ ଅବା ଜମି ବେପାରି, ପୁଲିସ ତାଙ୍କୁ ହିଁ ଟାର୍ଗେଟ କରିଥାଏ । ଅଜଣା ମୃତଦେହକୁ ଉଠାଇବାଠୁ ନେଇ ପୋଡା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପୁଲିସକୁ ସିଧାସଳଖ ମଦ ମଗାଯାଏ । ଗଳିତ ଶବ ମିଳିଲେ ତ’ କଥା ସରିଲା । ପୁଲିସ ଫସିବାଟା ଥୟ । ମଦ କ’ଣ ଯାହା ଡିମାଣ୍ଡ ତାହା ପୁରଣ କରିବାକୁ ପୁଲିସ ବାଧ୍ୟ । ସେପଟେ ପୁଣି ଏଥିରେ ଆଉ ଏକ ବଡ଼ ସମସ୍ୟା ସାମ୍ନାକୁ ଆସେ ଗ୍ରାମାଁଚଳରେ ।
ରେକର୍ଡ କହୁଛି ଅନେକ ଗ୍ରାମାଁଚଳରେ ଶବସଂରକ୍ଷିତ ଗୃହ ନାହିଁ । ଯାହା ପୁଲିସ ପାଇଁ ଆଉ ଏକ ମୁଣ୍ଡ ବିନ୍ଧାର କାରଣ । ସବ ରଖିବାକୁ ହେଲେ ବରଫଠୁ ନେଇ ସୁଇପରକୁ ସାଲିସ କରିବାକୁ ପଡେ ପୁଲିସକୁ । ଏଥିପାଇଁ ବି ପକେଟରୁ ବାଜେ ଟଙ୍କା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଟଙ୍କା ସରକାରୀ ଦପ୍ତରରୁ ଆସେନାହିଁ । ତେଣୁ ଏମିତି ଅନେକ ସମସ୍ୟା ଭିତରେ ଗତୀ କରିବାକୁ ପଡେ ପୁଲିସକୁ ଅଜଣା ମୃତଦେହ ଠାବ ଘଟଣାରେ । ତେଣୁ ସରକାରୀ ସ୍ତରରୁ ମିଳୁଥିବା ସହାୟତା ରାଶି ଓ ପ୍ରତି ଗ୍ରାମଁଚଳକୁ ଏକ ଗାଡି ଯୋଗାଇବାକୁୁ ଦାବି ହୋଇଛି ।