ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଘମାଘୋଟ ଲଢ଼େଇ । ମୁହାଁମୁହିଁ ପୁଲିସ ଓ ଜନତା । ଜାତୀୟ ରାଜପଥ ଅବରୋଧ । ଦୀର୍ଘ ସମୟ ହେଲାଣି ପରିସ୍ଥିତି ଥମିବାର ନାଁ ଧରୁନି । ଏପଟେ ଜଣଙ୍କ ପରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଯେଉଁଥିରୁ ବି ବର୍ତ୍ତି ନାହାନ୍ତି ପୁଲିସ କର୍ମଚାରୀ । ଆଇଆଇସିଙ୍କଠୁ ନେଇ ୩ଜଣ ପୁଲିସ ଅଫିସର ଲହୁଲୁହାଣ ହେଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ।
ସିଧା କହିବାକୁ ଗଲେ ଏକ ପ୍ରକାର ଖଣ୍ଡଯୁଦ୍ଧ ହୋଇଛି ସେଠାରେ । ମିଳିଥିବା ରିପୋର୍ଟ ଅନୁସାରେ, ପ୍ରହଲ୍ଲାଦ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ରକରେ ଗଜପତିରୁ କାଜୁୁ ନେଇ ବ୍ରହ୍ମପୁର ଆସୁଥିଲେ । ତେବେ ତପ୍ତପାଣୀ ପାଖରେ ହଠାତ କିଛି ଦୁର୍ବୃତ୍ତଗାଡିକୁ ଅଟକାଇବା ସହ ଲୁଟ ଉଦ୍ୟମ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଦ୍ୱିନଦ୍ୱୀପ୍ରହରରେ ଏଭଳି ଲୁଟପାଟ ହୋଇଥିଲା ରାଜରାସ୍ତା ଉପରେ । ଟ୍ରକ ଡ୍ରାଇଭରକୁ ବହେ ସେକିବା ସହ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତମାନେ । ତେବେ କୌଶଳ କ୍ରମେ ପ୍ରହଲ୍ଲାଦ ସେଠାରୁ ଖସି ପଳାଇ ଥିଲେ । ପରେ ସେ ନିଜ ଗାଁ ଡି ଗୋବିନ୍ଦପୁରରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ ।
ବାସ ଏହାପରେ ତାତି ଉଠିଥିଲେ ଗାଁ ଲୋକେ । ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପାଖାପାଖି ୫ଶହରୁ ଅଧିକ ଲୋକ ରାସ୍ତା ଉପରକୁ ଓହ୍ଲାଇଥିଲେ । ପୁଲିସର ଢ଼ିଲା ଡ୍ୟୁଟିକୁ ଦାୟୀ କରି ହଙ୍ଗାମା କରିବା ସହ ରାଜପଥ ଅବରୋଧ କରିଥିଲେ । ଅଭିଯୋଗ ଥିଲା ପୁଲିସର ଢ଼ିଲା ଡ୍ୟୁଟି ଯୋଗୁ ଲୁଟପାଟ ବଢ଼ୁଛି । ଆତଙ୍କ ରଚୁଛନ୍ତି ଦୁର୍ବୃତ୍ତ । ତେବେ ରାସ୍ତା ଅବରୋଧ ହୋଇଥିବା ସୂଚନା ପାଇ ଲୋକଙ୍କୁ ବୁଝାସୁଝା କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ପାଟକୁରା ଥାନା ଅଧିକାରୀଙ୍କ ସମେତ ୫ଜଣ ପୁଲିସ କର୍ମଚାରୀ । କିନ୍ତୁ ର୍ଦୁଭାଗ୍ୟ ପରିସ୍ଥିତି ଶାନ୍ତ ହେବ କ’ଣ ବରଂ ଆହୁରି ବିଗିଡ଼ି ଯାଇଥିଲା । ଲୋକେ ପୁଲିସକୁ ମାଡ଼ ମାରିବାକୁ ବି ପଛାଇନଥିଲେ ।
ଲୋକଙ୍କ ଆକ୍ରମଣରେ ଥାନା ଅଧିକାରୀଙ୍କ ସମେତ ୩ଜଣ ପୁଲିସ ଆହତ ହୋଇଛନ୍ତି । ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପରିସ୍ଥିତି ଅଣାୟତ ଥିବାରୁ ଯଦିଓ ପୁଲିସ ପକ୍ଷରୁ ସେଠାକୁ ଫୋର୍ସ ପଠାଯାଇଛି କିନ୍ତୁ ସେଠାରେ ଫୋର୍ସ ପହଞ୍ଚିବା ସମ୍ଭବ ହୋଇନାହିଁ । ରିପୋର୍ଟ କହୁଛି ଲୋକେ ରାସ୍ତା ଅବରୋଧ କରିବା ଯୋଗୁଁ ଶହଶହ ଗାଡି ମୋଟର ଅଟକି ରହିଛି । ସେଥିରେ ଫସିଛି ପୁଲିସର ଫୋର୍ସ ଭ୍ୟାନ । ମିଳିଥିବା ଶେଷ ଖବର ଅନୁସାରେ ଏବେ ବି ଉତ୍ତେଜନା ଜାରି ରହିଛି । ଗୋଟିଏ ପଟେ ଖଣ୍ଡଯୁଦ୍ଧ ଆଉ ଅନ୍ୟପଟେ ବିଚ ରାସ୍ତାରେ ଫଶି ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ରିପୋର୍ଟ: ନବୀନ ରାଜ ଆଚାରୀ