ଭୁବନେଶ୍ୱର,୧୬ା୨(ବ୍ୟୁରୋ): ୧୫ବର୍ଷର ନାବାଳିକାକୁ ଭଲ ପାଇବା ଓ ତାକୁ ବାଟରେ ଘାଟରେ ହଇରାଣ କରିବା ଭଳି ଘଟଣା ନଜରକୁ ଆସିଛି ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ତାରିଣୀ ବସ୍ତି ଅଂଚଳରେ । ର୍ଦୁଭାଗ୍ୟ ପୁଲିସ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଅଭିଯୋଗକାରୀଙ୍କୁ ଏ ଥାନାରୁ ସେ ଥାନାକୁ ଦୌଡିବାକୁ ପଡୁଛି ।
ମିଳିଥିବା ରିପୋର୍ଟ ଅନୁସାରେ, ତାରିଣୀ ବସ୍ତିରେ ରହୁଥିବା ଜଣେ ନାବାଳିକା ଝିଅକୁ ସେହି ଅଂଚଳର କାଳିଆ ନାମକ ଯୁବକ ପ୍ରେମ କରୁଥିଲେ । ବାଟରେ ଘାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲେ । ଝିଅର ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ଥାନାକୁ ଜଣାଇବା ସହ ପୁଅକୁ ତାଗିଦ କରିଥିଲେ । କିନ୍ତୁ ପୁଲିସ କିଛି ଶୁଣିନଥିଲା । ବରଂ ମହିଳା ଥାନାରେ ଜଣାଇବାକୁ ଉପଦେଶ ଦେଇଥିଲା ।
ପରିବାର ଲୋକେ ବି ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ମହିଳା ଥାନା ଖଣ୍ଡଗିରି ଥାନାକୁ ପଠାଇଥିଲା । ବାରମ୍ବାର ଏ ଥାନାରୁ ସେ ଥାନାକୁ ଦୌଡି ଦୌଡି ନିରାଶ ହେବା ପରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା । ଗୁରୁବାର ରାତିରେ ଲୋକେ ଖଣ୍ଡଗିରି ଥାନା ଘେରାଉ କରିଥିଲେ । ତେବେ ସ୍ଥାନୀୟ ରାଜନୈତିକ ଲୋକଙ୍କ ଚାପରେ ପୁଲିସ ଓଲଟି ପୁଅ ଘର ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ଘଟଣାରେ ପୁଲିସ ପଦକ୍ଷେପ ନନେଲେ ଆଗକୁ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଚେତାବନୀ ମିଳିଛି ।