ଯାଜପୁର,(ଏଟିଆର ବ୍ୟୁରୋ): ଶେଷରେ ଚେତିଲା ପ୍ରଶାସନ । ବେଆଇନ ଭାବେ ଚାଲାଣ ହେଉଥିବା ବାଲିଘାଟ ଉପରେ ଚଢ଼ାଉ ହେଲା । ଆଜି ଅଚାନକ ରସୁଲପୁର ପଞ୍ଚାୟତ ପରିଡା ବାଦ ବାଲିଘାଟ ଉପରେ ଚଢ଼ାଉ କରିଛନ୍ତି ଖୋଦ ତହସିଲଦାର । ଜବତ ହୋଇଛି ୪ଟି ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଗାଡି । ରିପୋର୍ଟ ଅନୁସାରେ, ଗୋଟିଏ ଗାଡିକୁ ତହସିଲଦାର ନିଜେ ୧୫ ହଜାର ଟଙ୍କାର ଫାଇନ କାଟି ସାବାଡ କରିଥିବା ବେଳେ ବାକି ୩ଟି ଗାଡିକୁ ଥାନାରେ ଅଟକ ରଖାଯାଇଛି ।
ଢ଼େରଦିନ ହେବ ପରିଡାବାଦ ଘାଟରୁ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ଉଠିଥିଲା । ସ୍ଥାନୀୟ ସଦର ପୁଲିସ ହାତ ଗୁଞ୍ଜା ନେଇ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଉଠିବା ପରେ ଶେଷରେ ପୂରା ଘଟଣାର ଯାଞ୍ଚ କରିବା ନେଇ ଆଗକୁ ଆସିଥିଲେ ତହସିଲଦାର । ତେବେ ତହସିଲଦାରଙ୍କ ଅଚାନକ ଚଢ଼ାଉ ପରେ ହେଉଥିବା ଅଭିଯୋଗର କେଉଁଠି ନା କେଉଁଠି ସତ୍ୟତା ରହିଥିବା ଏବେ ଜଣାପଡିଛି । ଆଗକୁ ମଧ୍ୟ ଏହି ଚୋରା ଚାଲାଣ ଉପରେ ନଜର ରହିବ ଓ ଦରକାର ପଡିଲେ ଚଢ଼ାଉ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
(ଯାଜପୁରରୁ ଶ୍ରୀନାଥ ଶତପଥୀଙ୍କ ରିପୋର୍ଟ ଏଟିଆର ନ୍ୟୁଜ )