ସୁନ୍ଦରଗଡ଼,(ଏଟିଆର ବ୍ୟୁରୋ): ପୁଲିସ ଉପରକୁ ଗୁଳିମାଡ଼ । ଆହତ ହେଲେ କନଷ୍ଟେବଳ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ରେ । ଗତକାଲି ବିଳମ୍ବିତ ରାତିରେ ଖମାରୀପଦାରେ ସ୍ପେଶାଲ ବ୍ରାଞ୍ଚ କନଷ୍ଟେବଳ ସୌମେନ୍ଦ୍ର ସେଠୀଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳିଟି ତାଙ୍କ ବେକରେ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, କ୍ରୀର୍ଷ୍ଣା ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କର ୩ବନ୍ଧୁଙ୍କ ସହ ଖମାରିପଡ଼ାରେ ଥିବା ଏକ ବିୟରପାର୍ଲରରେ ବସିଥିଲେ । ସେଠାରେ ଅତ୍ୟଧିକ ମଦ୍ୟପାନ କରିଥିଲେ । ନିଶା ଏତେ ହୋଇଥିଲା ଯେ ସେ ନିଜକୁ ବି ଚିହ୍ନି ପାରୁନଥିଲେ । ଏହି ସମୟରେ ପାର୍ଲରରେ ବସିଥିବା ଆଉ ଜଣେ ଯୁବକଙ୍କ ସହ କ୍ରୀର୍ଷ୍ଣାଙ୍କ ପାଟିତୁଣ୍ଡ ହୋଇଥିଲା । ରାଗରେ କ୍ରୀର୍ଷ୍ଣା ବାହାରକୁ ଆସି ପାଟିତୁଣ୍ଡ ହୋଇଥିବା ଲୋକଙ୍କୁ ଅଟକାଇ ଗାଳିମନ୍ଦ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ସ୍ପେଶାଲବ୍ରାଞ୍ଚ କନଷ୍ଟେବଳ ସୌମେନ୍ଦ୍ର ଏହାକୁ ବାରଣ କରିବା ସହ କ୍ରୀର୍ଷ୍ଣାକୁ ଅଟକାଇବା ଲାଗି ଚେଷ୍ଟା କରିଥିଲେ ।
ମାତ୍ର ନିଶାରେ ହଲୁଥିବା କ୍ରୀଷ୍ଣା କିଛି ବୁଝିବା ସୁଝିବା ପୂର୍ବରୁ ଅଚାନକ ସୌମେନ୍ଦ୍ରଙ୍କ ଉପରକୁ ୪ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଯେଉଁଥିରୁ ଗୋଟିଏ ଗୁଳି ସୌମେନ୍ଦ୍ରଙ୍କ ବେକରେ ବାଜିଥିଲା । ତେବେ ଏହି ଘଟଣା ପରେ ଯଦିଓ କ୍ରୀଷ୍ଣା ଫେରାର ରହିଛି କିନ୍ତୁ ତା’ର ବାକି ୩ ବନ୍ଧୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।