ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଧୀରେଧୀରେ ସାମ୍ନାକୁ ଆସୁଛି ସାଙ୍ଘାତିକ ତଥ୍ୟ । ଉପରିସ୍ଥ ଅଧିକାରୀଙ୍କୁ ସାଲିସ ଓ ରାଜନେତାଙ୍କୁ ତେଲ ନମାରିବା ଯୋଗୁ ଏବେ ଚକ୍ରବ୍ୟୁହର ଶିକାର ହୋଇଛନ୍ତି ଥାନା ଅଧିକାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚକ୍ରବ୍ୟୁହ ରଚିଛନ୍ତି ଖୋଦ ଏସଡିପିଓ । ସିଧା କହିବାକୁ ଗଲେ ନିମାପଡ଼ା ଥାନା ଅଧିକାରୀ ନିଲମ୍ବନ ଘଟଣାରେ ଘର ଢ଼ିଙ୍କି ସାଜିଛି କୁମ୍ଭିର । ଏଟିଆର ଅନୁସନ୍ଧାନରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି ।
ଘଟଣା ପଛର କାରଣ ଖୋଜିବାକୁ ଯାଇ ଏଟିଆର ଟିମ ପହଞ୍ଚିଥିଲା ନିମାପଡ଼ାରେ । ପୂରା ଏରିଆ ଖେଦିଥିଲା । ସ୍ଥାନୀୟ ଲୋକ ଏବଂ କେତେକ ପୁଲିସ କର୍ମଚାରୀଙ୍କ ମତ ବି ନେଇଥିଲା । ତେବେ ସେଠାରୁ ଯାହା ସୂଚନା ମିଳିଥିଲା ଆମ ମୁଣ୍ଡ ବି ଘୁରେଇ ଗଲା । ସିଧା କହିବାକୁ ଗଲେ ସିଙ୍ଗମ ଫିଲ୍ମର ସେହି ଦୁର୍ନତିଗ୍ରସ୍ତ ଡିଏସପିଙ୍କ ଭୁମିକାଟି ରିପିଟ ହୋଇଛି ଏହି ଘଟଣାରେ । ନିଜର ଆଧିପତ୍ୟ ଜାହିର କରିବା ଲାଗି ପୂରା ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏସଡିପିଓ । ଯେଉଁଥିରେ ଅକାରଣେ ବଳିପଡିଛନ୍ତି ଥାନା ଅଧିକାରୀ । ଏଠି ପ୍ରଶ୍ନ ଯଦି ବୃଦ୍ଧାଙ୍କ କଥା ସତ ତେବେ ଥାନା ସିସିଟିଭିରେ ଫୁଟେଜ ଅଛି କି? ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଆଇଆଇସି ପିଟିବା ଘଟଣାର ମୋବାଇଲ ଫୁଟେଜ ଗଲା କୁଆଡେ? ମାଡ଼ ଖାଇବା ପରେ ୨ଦିନ କାହିଁକି ଚୁପ ରହିଥିଲେ ବୃଦ୍ଧା? ଏମିତି ଅନେକ ପ୍ରଶ୍ନ ଏବେ ସାଧାଣରେ ଉଙ୍କି ମାରୁଛି ।
ସେପଟେ ବିନା ତଦନ୍ତରେ ଜଣେ ସଚ୍ଚୋଟ ଅଫିସରଙ୍କୁ ହିନସ୍ତା କରିବା ନେଇ ସାଧାରଣରେ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଚର୍ଚ୍ଚା ହେଉଛି ଯଦି ସବୁବେଳେ କେତେକ କୁଜିନେତା ଓ କିଛି ନ୍ୟସ୍ତସ୍ୱାର୍ଥ ଗଣମାଧ୍ୟମ ଚାପରେ ପୁଲିସ କର୍ମଚାରୀ ବଳି ପଡିବେ ତେବେ ବାକି ସଚ୍ଚୋଟ ଅଫିସରଙ୍କ କେବଳ ମନବଳ ଭାଙ୍ଗିବ ନାହିଁ ବରଂ ଦୁର୍ବୃତ୍ତଙ୍କ ଉତ୍ପାତ ଆହୁରି ବଢ଼ିଯିବ । ଫଳସ୍ୱରୂପ ଦିନ ଆସିବ ଅଫିସର ରହିବେ ନାହିଁ ଥାନାରେ ତାଲା ଝୁଲିବ । ଖାଲି ଏହି ଘଟଣା ନୁହେଁ ବରଂ ନୟାପଲ୍ଲୀ ଥାନାରେ ମଧ୍ୟ ସମାନ ଘଟଣା ଘଟିଛି । ରାଜନୀତି ଓ କୁଜିନେତାଙ୍କ ଚକ୍ରବ୍ୟୁହର ଶିକାର ହୋଇଛନ୍ତି ଥାନା ଅଧିକାରୀ । ଆଇଆଇସି ଅନୁପସ୍ଥିତ ଥିବା ବେଳେ ସେ କେମିତି ଗୋଇଠା ମାରିଲେ ତାକୁ ନେଇ ଉଠିଛି ପ୍ରଶ୍ନ? ଏନେଇ ମଧ୍ୟ ଅନୁସନ୍ଧାନ ଚଳାଇଛି ଏଟିଆର । ଖୁବ ଶୀଘ୍ର ଏହି ଘଟଣାର ମଧ୍ୟ ପର୍ଦ୍ଦାଫାସ ହେବ । ତେବେ ଟିକେ ଟିକେ କଥାରେ ସଚ୍ଚୋଟ ଅଫିସରଙ୍କୁ ହାରାସ କରିବା ନେଇ ଏବେ ପୁଲିସ ସଙ୍ଘ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି ।
କଣ କହୁଛି ଅନୁସନ୍ଧାନ…
ଏବେକାର ଏସଡିପିଓ ପୂର୍ବରୁ ନିମାପଡା ଥାନାରେ ଥିଲେ । କୁଜି ନେତାଙ୍କ ସହ ସେ ସାଲିସ କରିଥିଲେ । ଫଳସ୍ୱରୂପ ଉଭୟଙ୍କ କାମ ଠିକଠାକ ହେଉଥିଲା । ହେଲେ ନୂଆକରି(ମାସେ ହେବ)ଆସିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ତାଙ୍କ ପାଲରେ ପଡିଲେ ନାହିଁ । ଜନତାଙ୍କ ସ୍ୱାର୍ଥ ଓ ସ୍ଥାନୀୟ ଅଞ୍ଚଳରେ ଆଇନସୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଯାଇ ନିଜ ଷ୍ଟାଇଲରେ କାମ କରିଥିଲେ । ବେଆଇନ ପଥର ଚାଲାଣ ଉପରେ ଚଢ଼ାଉ କରି କେତେକଙ୍କୁ ଗିରଫ କରିଥିଲେ । ଯେଉଁଥିରେ ସାମିଲ ରହିଥିଲେ ଜଣେ ଜୈନିକ ରାଜନେତାଙ୍କ ଭାଇ । ତେଣୁ କୁଜିନେତାଙ୍କ ଟାର୍ଗେଟକୁ ଆସିଥିଲେ ଥାନା ଅଧିକାରୀ । ଏଥିରେ ବି ଫୁଲ ମୌକା ପାଇଯାଇଥିଲେ ଏସଡିପିଓ । ଶାଶୁ-ବୋହୂ କଳିରେ ବୃଦ୍ଧାଙ୍କୁ ଢ଼ାଲ କରି ଶେଷରେ ଫସାଯାଇଛି ଥାନା ଅଧିକାରୀଙ୍କୁ । ଏହାର ନିରପେକ୍ଷ ତଦନ୍ତ କରାଗଲେ ନିହାତି ଭାବେ ସତ ସାମ୍ନାକୁ ଆସିବ ଓ ଫସିଥିବା ଥାନା ଅଧିକାରୀ ନ୍ୟାୟ ପାଇବେ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି ।
ଏସି ନେଇଗଲେ ଏସଡିପିଓ!
ଏସଡିପିଓ ନିମାପଡ଼ାରେ ଥାନା ଅଧିକାରୀ ଥିବା ବେଳେ ମୋଟର ଆସୋସିଏସନ ପକ୍ଷରୁ ଥାନାକୁ ଏକ ଏସି ଦିଆଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏସଡିପିଓ ହୋଇ ବଦଳି ହେବା ପରେ ଆଉ ଥାନାରେ ଏସି ନାହିଁ । ଖୋଲିକି ନେଇଯାଇଛନ୍ତି । ଯାହାକୁ ନେଇ ଏବେ ସଙ୍ଘ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ସେପଟେ ଏସିଟି ଥାନାକୁ ଦିଆଯାଇଥିଲା କିନ୍ତୁ ବ୍ୟକ୍ତିଗତ ଭାବେ କାହିଁକି ଏସଡିପିଓ ନେଇଗଲେ ତାକୁ ନେଇ ଉଠିଛି ପ୍ରଶ୍ନ?
ଏଠାରେ ସୂଚନାଯୋଗ୍ୟ, ଏହି ଘଟଣାର ଓ ଖାସ କରି ଏସଡିପିଓଙ୍କ କାରସାଦି ସମ୍ପର୍କରେ ଏବେ ବି ଅଭିଯାନ ଜାରି ରଖିଛି ଏଟିଆର । ଖୁବ ଶୀଘ୍ର ଆଉ ଏକ ରିପୋର୍ଟ ତଥ୍ୟ ପ୍ରକାଶ ପାଇବ । ବାଙ୍କୀ ଓ ବୈଦେଶ୍ୱର ଥାନାରେ ଥିବା ବେଳେ ସେ କେଉଁ କେଉଁ ଘଟଣାରେ ଚର୍ଚ୍ଚାକୁ ଆସିଥିଲେ ତାହାର ଖୁଲାସା କରିବ ଏଟିଆର ।