ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ଲୁଚାଣିଆ ଭାବେ ଚାଲୁଥିବା ଏକ ସେକ୍ସ ର୍ୟାକେଟର ପର୍ଦ୍ଦାଫାସ କରିଛି ବ୍ରହ୍ମପୁରର ଟାଉନ ଥାନା ପୁଲିସ । ଅଚାନକ ଚଢ଼ାଉ କରି ୩ଜଣ ଦେହଜୀବୀଙ୍କୁ ଗିରଫ କରିବା ସହ ଜଣେ ଗ୍ରାହକକୁ ମଧ୍ୟ ଜେଲର ଚାରିକାନ୍ଥ ଦେଖାଇଛି ।
ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସେକ୍ସ ର୍ୟାକେଟର ଚେର ଆଉ କେଉଁଠିକୁ ଲମ୍ବିଛି ସେନେଇ ଅଧିକ ଖୋଳତାଡ ଚଳାଇଛି ପୁଲିସ । ସେପଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥରକ ପୁଲିସକୁ ଆଉ ଚକମା ଦେଇପାରିନାହିଁ ଘଟଣାରେ ସମ୍ପୃକ୍ତ କିଙ୍ଗପିନ । ସିଧାସଳଖ ବନ୍ଧା ହୋଇଛି ।
ପୁଲିସ ରିପୋର୍ଟ ଅନୁସାରେ, ନିଳାଦ୍ରୀବିହାର ଥାର୍ଡ ଲେନରେ ଚାଲିଥିଲା ଏଭଳି କାରସାଦି । ଖୁଲେଆମ କିଙ୍ଗପିନ କୁହାଯାଉଥିବା ମହିଳା କେତେକ ଦେହବଜୀବୀଙ୍କୁ ଧରି ଏହି ଦେହବ୍ୟବସାୟ କରୁଥିଲା । ତେବେ ଏନେଇ ସୂଚନା ମିଳିବା ପରେ ଟାଉନ ଥାନା ପୁଲିସ ବିଛାଇଥିଲା ଜାଲ । ଆଜି ଅଚାନକ ପୁଲିସ ଭଡ଼ାଘର ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫାସ କରିଛି । ତେବେ ଧରା ହୋଇଥିବା ଦେହଜୀବୀଙ୍କ ମଧ୍ୟରୁ ଜଣେ ନାବାଳିକା ରହିଥିବା ସୂଚନା ମିଳିଛି ।